ସଫେଇ କର୍ମଚାରୀଙ୍କୁ ଅଣଦେଖା, ମିଳୁନି ଧାର୍ଯ୍ୟ ମଜୁରୀ

ଭୁବନେଶ୍ୱର: ରାଜ୍ୟରେ ପରିମଳ କାମରେ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି । ଏହି କର୍ମଚାରୀମାନେ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରୁଛନ୍ତି । ମାତ୍ର ନା ସେମାନଙ୍କୁ ସରକାରୀ ଧାର୍ଯ୍ୟ ମଜୁରୀ ମିଳୁଛି । ନା ସାମାଜିକ ସୁରକ୍ଷା । ରାଜ୍ୟ ସରକାର ଏବେ ସହରାଞ୍ଚଳର ପରିମଳ କାମରେ ନିୟୋଜିତ ସଫେଇ କର୍ମଚାରୀମାନଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ଦର୍ଶାଯାଇଛି । ରାଜଧାନୀ ଭୁବନେଶ୍ୱର ମହାନଗର ନିଗମର ସଫେଇ କାମ ଏକ ଠିକା ସଂସ୍ଥା ନେଇଛି । ଜାଗୃତି ଏହି କାମ ନେଇଥିଲା ବେଳେ ଶ୍ରମ ଆଇନର ଉଲ୍ଲଂଘନ କରାଯାଇ ସଫେଇ କାମରେ ନିୟୋଜିତ ପୁରୁଷ ଓ ମହିଳାମାନଙ୍କୁ ଧାର୍ଯ୍ୟ ମଜୁରୀ ଠାରୁ କମ ପ୍ରଦାନ କରାଯାଉଛି । ସଫେଇ କର୍ମଚାରୀଙ୍କର ଭବିଷ୍ୟତ ପାଇଁ ଇପିଏଫ୍ କିମ୍ବା ଇଏସଆଇ ବାବଦ ଟଙ୍କା ପଇଠ କରାଯାଉ ନାହିଁ । ଉଭୟ ଜାଗୃତି ଓ ରାମକୋ ଠିକା ସଂସ୍ଥା ଶ୍ରମ ଆଇନକୁ ମାନୁ ନଥିବା ଅଭିଯୋଗ ହେଉଛି । ବର୍ଷ ବର୍ଷ ଧରି ସଫେଇ କର୍ମଚାରୀମାନେ ଅବହେଳିତ ଓ ଶୋଷିତ ହୋଇ ଚାଲିଥିଲେ ମଧ୍ୟ ସରକାର ଶ୍ରମ ବିଭାଗ ହାତବାନ୍ଧି ବସିଛି । ଗରିବ କର୍ମଚାରୀମାନେ ଦହଗଞ୍ଜ ହେଉଛନ୍ତି ।

ସଫେଇ କର୍ମଚାରୀଙ୍କ ପ୍ରତି ଏଭଳି ଅନ୍ୟାୟର ପ୍ରତିବାଦ କରି ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା । ଏହାପରେ ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ୱରେ ସଫେଇ କର୍ମଚାରୀମାନେ ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଶ୍ରମ ଆଇନ ଅନୁସାରେ ମଜୁରୀ ପ୍ରଦାନ, ମାସର ୭ ତାରିଖ ସୁଦ୍ଧା ଦରମା ପ୍ରଦାନ, ମହିଳା ଶ୍ରମିକମାନଙ୍କୁ ପ୍ରସୂତୀକାଳୀନ ସହାୟତା, ଛୁଟି ପ୍ରଦାନ ସହ ବିନା କାରଣରେ କର୍ମଚାରୀମାନଙ୍କୁ ଛଟେଇ ନକରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ସଫେଇ କର୍ମଚାରୀମାନଙ୍କୁ ଅତି କୁଶଳୀ ଶ୍ରମିକ ମାନ୍ୟତା ପ୍ରଦାନ ସହ ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ଦାବି ହୋଇଛି । ଏପରିକି ଏ ନେଇ ବିଏମସିର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ଏ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନନେଲେ ଆଗକୁ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।