ଶିବଲିଙ୍ଗ ମିଳିଥିବା ସ୍ଥାନ ସିଲ୍, ‘ବଜୁ’ ଉପରେ ପ୍ରତିବନ୍ଧକ
ବାରଣାସୀ : ଜ୍ଞାନବାପୀ ମସଜିଦ ପରିସରରୁ ଶିବଲିଙ୍ଗ ମିଳିଥିବା ଦାବି ପରେ ଅଦାଲତ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ଆଦେଶ ଦେଇଛନ୍ତି । ଶିବଲିଙ୍ଗ ମିଳିଥିବା ସ୍ଥାନକୁ ତୁରନ୍ତ ସିଲ୍ କରିବା ସହିତ ସେଠାକୁ କାହାରିକି ପ୍ରବେଶ କରିବାକୁ ନଦେବା ପାଇଁ ଅଦାଲତ କହିଛନ୍ତି । ଉକ୍ତ ସ୍ଥାନକୁ ସୁରକ୍ଷିତ କରିବା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଓ ସିଆରପିଏଫକୁ ଦିଆଯାଇଛି ।
ବଜୁ ଉପରେ ପ୍ରତିବନ୍ଧକ
ମସଜିଦ ପରିସରରେ ଥିବା କୂଅରୁ ଶିବଲିଙ୍ଗ ମିଳିଥିବା ଦାବି ଉପରେ କିଛି କହିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଳ ରାଜ ମନା କରିଦେଇଥିବା ବେଳେ ହିନ୍ଦୁ ପକ୍ଷ ତୁରନ୍ତ ଅଦାଲତରେ ପହଂଚିଥିଲେ । ଅଦାଲତ ଉକ୍ତ ସ୍ଥାନକୁ ସିଲ କରିବାକୁ ପ୍ରଥମେ ଆଦେଶ ଦେଇଥିଲେ । ପରେ ସେଠାରେ ବଜୁ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରିଥିଲେ ।
ସୂଚନାଯୋଗ୍ୟ ଯେ, ସୋମବାର ଅନ୍ତିମ ସର୍ଭେ ଦିନରେ ମସଜିଦ୍ ପରିସରରେ ଥିବା କୂଅରୁ ଶିବଲିଙ୍ଗ ମିଳିଥିବା ଦାବି ହିନ୍ଦୁ ପକ୍ଷ କରିଥିଲେ । ଏହା ସହିତ ସେମାନେ ଶିବଲିଙ୍ଗର ସୁରକ୍ଷା ପାଇଁ ତୁରନ୍ତ ଅଦାଲତ ଯିବେ ବୋଲି କହିଥିଲେ । ଏଭଳି ଦାବି ପରେ ପରେ ହିନ୍ଦୁ ପକ୍ଷ ତୁରନ୍ତ ଅଦାଲତରେ ପହଂଚିଥିଲେ । ଅନ୍ତିମ ଦିନ ଦୁଇ ଘଣ୍ଟା ଧରି ମସଜିଦ ପରିସରରେ ସର୍ଭେ ଚାଲିଥିଲା । ସର୍ଭେ ପରେ ହିନ୍ଦୁ ପକ୍ଷର ଓକିଲ କହିଛନ୍ତି ଯେ, ଯେତିକି ଭାବିଥିଲୁ ତା’ଠାରୁ ଅଧିକ ମିଳିଛି । ହିନ୍ଦୁ ପ୍ରତିନିଧି ମଣ୍ଡଳରେ ସାମିଲ ଥିବା ସୋହନଲାଲ କହିଛନ୍ତି ଯେ, ‘ବାବା ମିଳିଗଲେ’ । ତେବେ ‘ବାବା’ କେଉଁଠାରୁ ମିଳିଲେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହା ପଚାରନି । ସେ ସନ୍ଥ କବିରଙ୍କ ଦୋହା ‘ ଜିନ୍ ଖୋଜା ତିନ୍ ପାଇଆ,ଗହରେ ପାନି ପୈଠ୍,ମୈ ବପୁରା ବୁଡନ ଡରା,ରହା କିନାରେ ବୈଠ’ ଶୁଣାଇ କହିଥିଲେ ଯେ, ମସଜିଦ ପରିସରରେ ଥିବା କୂଅରୁ ବାବା ମିଳିଛନ୍ତି । ମସଜିଦ କୂଅରୁ କଳା ରଙ୍ଗର ପଥର ମିଳିଥିବା ଦାବି ହେଉଛି । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ, କୂଅ ଭିତରୁ ଶିବଲିଙ୍ଗ ମିଳିଛି । ଶିବଲିଙ୍ଗଙ୍କ ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି । ବାବା ମିଳିଗଲେ ବୋଲି ସୋହନ ଲାଲ କହିବା ପରେ ସମବେତ ଜନତା ଏକା ସ୍ୱରରେ ହର ହର ମହାଦେବର ନାରା ଲଗାଇଥିଲେ । ୧୨ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଶିବଲିଙ୍ଗ ମିଳିଥିବା କୁହାଯାଉଛି ।
ପମ୍ପ ଲଗାଇ ପାଣି କଢାଯାଇଥିଲା
ହିନ୍ଦୁ ବିଶ୍ୱାସ ଅନୁସାରେ ବାରଣାସୀ ମନ୍ଦିର ଉପରେ ଆକ୍ରମଣ କାଳରେ ଶିବଲିଙ୍ଗର ସୁରକ୍ଷା ପାଇଁ ଜଣେ ପୂଜକ ଲିଙ୍ଗ ସହିତ କୂଅ ମଧ୍ୟକୁ ଡେଇଁ ପଡିଥିଲେ । ମନ୍ଦିର ଭାଙ୍ଗିବା ପରେ ମନ୍ଦିର ସ୍ଥାନରେ ମସଜିଦ ନିର୍ମିତ ହୋଇଥିଲା । ମନ୍ଦିର କାନ୍ଥ ଉପରେ ମସଜିଦ ତିଆରି ହୋଇଥିବାରୁ ତାହା ଏବେ ମଧ୍ୟ ଦେଖାଯାଇଥାଏ । ପମ୍ପ ଲଗାଇ ପାଣି ଶୁଖାଇବା ପରେ ଏହା ମଧ୍ୟକୁ ୱାଟର ରେସିଷ୍ଟାନ୍ସ କ୍ୟାମେରା ପଠାଇ ଭିଡିଓଗ୍ରାଫି କରାଯାଇଥିଲା । ୧୭ ତାରିଖରେ ଟିମ୍ ତାଙ୍କ ରିପୋର୍ଟକୁ ଅଦାଲତରେ ରଖିବେ ।
ମୁସଲିମ୍ ପକ୍ଷର ଦାବିକୁ ଖଣ୍ଡନ
ଅନ୍ୟପକ୍ଷରେ ମସଜିଦ ମଧ୍ୟରୁ ଶିବଲିଙ୍ଗ ମିଳିବା ଦାବିକୁ ମୁସଲିମ୍ ପକ୍ଷ ଖଣ୍ଡନ କରିଛି । ସେମାନଙ୍କ କହିବା ହେଉଛି ସର୍ଭେରୁ ସେଭଳି କିଛି ମିଳନାହିଁ । ଏହାପୂର୍ବରୁ ସର୍ଭେ ସରିବା ପରେ ହିନ୍ଦୁ ପକ୍ଷ ସେହି ବାବା ମିଳିଗଲେ ଯାହାଙ୍କୁ ନନ୍ଦି ପ୍ରତିକ୍ଷା କରୁଥିଲେ ବୋଲି ଦାବି କରିଥିଲେ ।
ପ୍ରଶାସନର ଅପିଲ
ଏଣେ ପ୍ରଶାସନ ପକ୍ଷରୁ କୌଣସି ଅସମର୍ଥିତ ଦାବିରେ ବିଶ୍ୱାସ ନକରିବାକୁ କୁହାଯାଇଛି । ପ୍ରଶାସନ କେବଳ ଆଧିକାରିକ ବୟାନକୁ ବିଶ୍ୱାସ କରିବାକୁ କହିଛି । ସର୍ଭେ କାଳରେ ଦୁଇ ପକ୍ଷ ସହଯୋଗ କରିଥିଲେ ବୋଲି ପ୍ରଶାସନ କହିଛି ।