ଲଖିମପୁର ଖେରୀ ହିଂସା: ଶୁଣାଣି କରିଥିବା ବିଚାରପତି ନିଜକୁ ପ୍ରତ୍ୟାହାର କରିନେଲେ

1 min read

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାରେ ନୂଆ ମୋଡ଼ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ଶୁଣାଣି କରୁଥିବା ବିଚାରପତି ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି । ପୂର୍ବରୁ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଥିବା ବିଚାରପତି ଜଷ୍ଟିସ ରାଜୀବ ସିଂହ ଗତ ସପ୍ତାହରେ ସୁପ୍ରିମକୋର୍ଟ ତାଙ୍କ ଦ୍ବାରା ଦିଆଯାଇଥିବା ଜାମିନକୁ ବାତିଲ କରି ପୁଣି ଶୁଣାଣି କରିବାରୁ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି ଜଷ୍ଟିସ ସିଂହ । ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବା ସମୟରେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କୁ ଜାମିନ ଆବେଦନର ନୂଆ ନିଷ୍ପତ୍ତି ନେବାକୁ କହିଥିଲେ ।

ଏହାପରେ ଜଷ୍ଟିସ ସିଂହଙ୍କ ବେଞ୍ଚକୁ ଜାମିନ ଆବେଦନ ଶୁଣାଣି ପାଇଁ ଆସିଥିଲା । କିନ୍ତୁ ସେ ଏହାକୁ ନୂତନ ଭାବରେ ଶୁଣିବାରୁ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି । ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ମଧ୍ୟ ନିର୍ଦ୍ଧାରିତ ହୋଇ ପାରି ନାହିଁ । ଏହି ଜାମିନ ଆବେଦନର ଶୁଣାଣି ପାଇଁ ଏକ ନୂତନ ବେଞ୍ଚ ଗଠନ ହେବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରାଯିବ । ଗତବର୍ଷ ଅକ୍ଟୋବରରେ ଲଖିମପୁର- ଖେରୀ ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।