ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ ! ନିଆଁ ଲିଭା କାର୍ଯ୍ୟରେ ୨୫୦ କର୍ମଚାରୀ ନିୟୋଜିତ

ନୂଆଦିଲ୍ଲୀ: ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ପାଖାପାଖି ୫ କିମି ପର୍ଯ୍ୟନ୍ତ ବ୍ୟାପିଯାଇଛି । ଗୁରୁଗାଓଁରେ ମୋନସେର ସେକ୍ଟର ୬ରେ ଭୟଙ୍କର ନିଆଁ ଲାଗିଛି । ଦୀର୍ଘ ସମୟର କସରତ ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ଏଠାରେ ଥିବା ଏକ କବାଡିଖାନା ଓ ବସ୍ତିରେ ନିଆଁ ଲାଗିଛି ।

ସୋମବାର ରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଥିଲା । ସେଠାରେ ପବନର ବେଗ ବଢିବା କାରଣରୁ ଆଖପାଖ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା । ବର୍ତ୍ତମାନ ୨୫୦ ଦମକଳ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ତେବେ ବିଳମ୍ବିତ ରାତିରେ ମୋନସେର ସେକ୍ଟର ୬ ପାଖରେ ଥିବା ଏକ କବାଡିଖାନାରେ ନିଆଁ ଲାଗିଯାଇଥିଲା । ଏହାପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।

ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କାବଡିଖାନାରେ ଥିବା ଜିନିଷ ଗୁଡିକୁ ବାହାର କରାଯାଇପାରି ନଥିଲା । ଅଧିକାଂଶ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଁଚି ତଦନ୍ତ କରୁଛନ୍ତି । ଏହାସହ ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ହିଁ କ୍ଷୟକ୍ଷତିର ଆକଳନ ହେବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।