spot_img

Latest Posts

ନ୍ୟୁୟର୍କରେ ୨ ଜଣ ଶିଖ୍ ଯୁବକଙ୍କୁ ଆକ୍ରମଣ, ୧୦ ଦିନରେ ଦ୍ୱିତୀୟ ଘଟଣା

ନ୍ୟୁୟର୍କ : ନ୍ୟୁୟର୍କର ରିଚମଣ୍ଡ ହିଲ୍‌ ଅଞ୍ଚଳରେ ଦୁଇ ଜଣ ଶିଖ୍‌ ଯୁବକଙ୍କୁ ଆକ୍ରମଣ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ପୋଲିସର ସୂଚନା ଅନୁସାରେ ଏହି ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତା ଉପରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ ଠିକ୍‌ ଏହି ସ୍ଥାନରେ ୧୦ ଦିନ ପୂର୍ବରୁ ଜଣେ ଶିଖ୍‌ ଯୁବକଙ୍କୁ ଆକ୍ରମଣ ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାସ୍ତାରେ ଯାଉଥିବାବେଳେ ଦୁଇ ଯୁବକଙ୍କୁ ମାରପିଟ୍‌ କରିବା ସହ ସେମାନଙ୍କ ପଗଡ଼ି ବାହାର କରି ଦେଇଥିଲେ ଆକ୍ରମଣକାରୀ । କିନ୍ତୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ ଶିଖ୍‌ ସଙ୍ଗଠନର ଆଞ୍ଚଳିକ ମୁଖିଆ ମଧ୍ୟ ପହଞ୍ଚିଥିଲେ ।

ନ୍ୟୁୟର୍କର ଅଟର୍ଣ୍ଣି ଜେନେରାଲ୍‌ ଲେଟିସିଆ ଜେମ୍ସ୍‌ ଏହି ଆକ୍ରମଣକୁ ନିନ୍ଦା କରି ଟୁଇଟ୍‌ ମାଧ୍ୟମରେ ଲେଖିଛନ୍ତିଯେ,  ରିଚ୍‌ମଣ୍ଡ୍‌ରେ ଥିବା ଆମ ଶିଖ୍‌ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଘୃଣ୍ୟ ଆକ୍ରମଣ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଦୁଇ ଆକ୍ରମଣକାରୀଙ୍କ ଉପରେ ବିଚାର ବିମର୍ଷ କରାଯିବା ଉଚିତ୍‌। ତେବେ ପୋଲିସ୍‌ ଏହାକୁ ନେଇ ତଦନ୍ତ କରୁଛି ।

ନ୍ୟୁୟର୍କ ରାଜ୍ୟ ବିଧାନସଭାର ପ୍ରଥମ ପଞ୍ଜାବୀ ଆମେରିକୀୟ ମହିଳା ଜେନିଫର୍‌ ରାଜକୁମାର କହିଛନ୍ତିଯେ, ବିଗତ ବର୍ଷମାନଙ୍କରେ ଶିଖ୍‌ ସମ୍ପ୍ରଦାୟଙ୍କ ବିରୋଧରେ ଘୃଣ୍ୟ ଅପରାଧ ଯଥେଷ୍ଟ  ବୃଦ୍ଧି ପାଇଛି। ୧୦ ଦିନ ପୂର୍ବରୁ ଏହି ସମାନ ଘଟଣା ସମାନ ସ୍ଥାନରେ ଘଟିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ସତର୍କ ହୋଇନାହିଁ ।

Latest Posts

Don't Miss