ତାତିରୁ ମିଳିବ ତ୍ରାହି, ୬ରେ ସୃଷ୍ଟି ହୋଇପାରେ ଲଘୁଚାପ

1 min read

ଭୁବନଶ୍ୱର: ଆସୁଛି ଏକ ଲଘୁଚାପ । ୬ ଏପ୍ରିଲ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏପଟେ ରାଜ୍ୟରେ ଶୁଖିଲା ପାଗ ସାଙ୍ଗକୁ ବଢୁଛି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଉପରେ ରହୁଛି ତାପମାତ୍ରା । ଆଗମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବରିବର୍ତ୍ତନ ହେବାର ସମ୍ଭାବନାର ନାହିଁ । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି ।

ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଓଡ଼ିଶାର କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଅନ୍ୟପଟେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ରହୁଛି । ଏହି ସମୟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଘରୁ କିମ୍ବା ଅଫିସରୁ ବାହାରକୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।