ଓଡ଼ିଶାରେ ଗୋଟିଏ ସୁନା ଖଣି ସମେତ ୮ କୋଇଲା ଖଣି, ୧୭ ଡେକୋରେଟିଭ୍ ଷ୍ଟୋନ ଖଣି ଚିହ୍ନଟ

1 min read

ଭୁବନେଶ୍ବର: ଓଡ଼ିଶାରେ ୨୨୦ଟି ଖଣି, ଖନନ ପାଇଁ ଚିହ୍ନଟ ହୋଇଛି । ପର୍ଯ୍ୟାୟ କ୍ରମେ ଆସନ୍ତା ୭ରୁ ୮ବର୍ଷ ମଧ୍ୟରେ ଏସବୁ ଖଣି ନିଲାମ କରାଯିବ । ଏଥିରୁ ନୂଆ ଖଣି ପ୍ରାୟ ୮୦ଟି ଥିବା ବେଳେ ୧୨୦ଟି ଖଣି ଲିଜ୍ ବାତିଲ ହେବା ସହ ଅନ୍ୟ କାରଣରୁ ବନ୍ଦ ହୋଇ ପଡ଼ିଛି । ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏଭଳି ତଥ୍ୟ ରଖିଛନ୍ତି । ୨୨୦ଟି ଖଣି ମଧ୍ୟରୁ ପ୍ରାୟ ୮୦ଟି ଖଣିରେ ଲୁହାପଥର, ମାଙ୍ଗାନିଜ ଓ ବକ୍ସାଇଟ ରହିଛି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ସୁନା ଖଣି ଚିହ୍ନଟ ହୋଇଥିବା ବେଳେ ୮ଟି କୋଇଲା ଖଣି ଏବଂ ୧୭ଟି ଡ଼େକୋରେଟିଭ୍ ଷ୍ଟୋନ ଖଣି ବି ଚିହ୍ନଟ ହୋଇଛି ।

ଦ୍ରୁତଗତିରେ ବଢୁଛି ରାଜ୍ୟର ଖଣି କାରବାର । ୧୫ ହଜାର କୋଟିରେ ପହଞ୍ଚିଛି ରାଜ୍ୟର ଖଣି ରାଜସ୍ବ । ୩ ବର୍ଷରେ ୩୦ଟି ଖଣିର ନିଲାମୀ ସରିଥିବା ବେଳେ ଖଣି ଉତ୍ତୋଳନ ପାଇଁ ପ୍ରସ୍ତୁତ ହେଉଛି । ଏହାସହ ରାଜ୍ୟ ସରକାର ଆଉ ୨୨୦ଟି ଖଣି ଖନନ ପାଇଁ ଚିହ୍ନଟ କରିଛନ୍ତି । ଏଥିରୁ ଲୁହାପଥର, ମାଙ୍ଗାନିଜ, ବକ୍ସାଇଟ ପ୍ରାୟ ୮୦ଟି ଖଣିରେ ଥିବା ବେଳେ ୮ଟି କୋଇଲା ଖଣି ରହିଛି । ସେହିପରି କ୍ବାର୍ଟଜ୍ ଖଣି ୨୩ଟି ଥିବା ବେଳେ ଡ଼େକୋରେଟିଭ୍ ଷ୍ଟୋନ ଖଣି ୮ଟି ରହିଛି । ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନ ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଚିହ୍ନଟ ହୋଇଥିବା ୨୨୦ ଖଣିରୁ ପ୍ରାୟ ୮୦ଟି ଭର୍ଜିନ ଖଣି ରହିଛି । ଏଥିରୁ ଖଣିଜ ଉତ୍ତୋଳନ ପାଇଁ ୭ରୁ ୮ ବର୍ଷ ସମୟ ଲାଗିବ । ହେଲେ ବିଭିନ୍ନ କାରଣରୁ ବନ୍ଦ ହୋଇ ପଡ଼ିଥିବା ୧୨୦ଟି ଖଣି ପର୍ଯ୍ୟାୟ କ୍ରମେ ୨ରୁ ୩ବର୍ଷ ମଧ୍ୟରେ ନିଲାମୀ କରାଯିବ ।

ରାଜ୍ୟ ତଥା ଦେଶରେ ଯେତିକି ଖଣିଜ ଦ୍ରବ୍ୟ ମହଜୁଦ ଅଛି, ତାର ମାତ୍ର ୩୦ ପ୍ରତିଶତ ଉତ୍ତୋଳନ ହେଉଛି । ରାଜ୍ୟରେ ଚିହ୍ନଟ ହୋଇଥିବା ୬୭୯ଟି ଖଣି ମଧ୍ୟରୁ ଏବେ ୧୩୮ଟି ଓ୍ବାର୍କିଂ ମାଇନସ୍ ଥିବା ବେଳେ ୧୦୭ଟି କାର୍ଯ୍ୟକ୍ଷମ ନାହିଁ । ୧୯୧ଟି ଖଣି ପ୍ରୋସ୍ପେକ୍ଟିଭ ଲାଇସେନ୍ସରୁ ମାଇନିଙ୍ଗ ଲାଇସେନ୍ସ ନେବାରେ ବିଳମ୍ବ ହୋଇଥିବାରୁ ଏଗୁଡ଼ିକ ମଧ୍ୟ ସରକାର ନିଜ ହାତକୁ ନେଇଛନ୍ତି । ୨୦୨୨-୨୩ ଆର୍ଥୀକ ବର୍ଷରେ ଆଉ ୩୦ଟି ଖଣିର ନିଲାମୀ କରିବାକୁ ଯୋଜନା ରହିଛି । ଆସନ୍ତା ୩ବର୍ଷରେ ୧୦୦ଟି ଖଣି ନିଲାମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟର ସମ୍ଭାବନାକୁ ଚିହ୍ନଟ କରି ଖଣି ଖନନ ହେଲେ ରାଜ୍ୟର ବ୍ୟାପକ ଅଭିବୃଦ୍ଧି ସହ ଭିତ୍ତିଭୂମି, ଶିଳ୍ପାନୁଷ୍ଠାନ ବଢିବା ସହ ଅନେକ ଲୋକଙ୍କୁ ରୋଜଗାର ବି ମିଳିବ ।