ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଲୁଟ୍
ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଯାଆଁଳାରେ ଫିଲ୍ମ ଷ୍ଟାଇଲରେ ଲୁଟ୍ । ବନ୍ଧୁକ ମୁନରେ ସାଗରିକା ଜୁଏଲାରୀରୁ ଲୁଟ୍ ହୋଇଥିବା ଅଭିଯୋଗ । ୨ ଦୁର୍ବୃତ୍ତ ବାଇକରେ ଆସି ଜୁଏଲାରୀ ମାଲିକଙ୍କ ଉପରକୁ ଗୁଳି ଚଳାଇ ସୁନା ଲୁଟି ନେଇଛନ୍ତି । ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଲୁଟେରା । ପରେ ଘଟଣାସ୍ଥଳରୁ ଫେରାର ଉଦ୍ୟମ କରିଥିବା ବେଳେ ବାଇକ ଷ୍ଟାର୍ଟ ହୋଇନଥିଲା । କିଛି ବାଟ ଗାଡ଼ି ଗଡାଇ ଗଲା ପରେ ଜଣେ କୋରିୟର ବୟଙ୍କୁ ଭୟଭୀତ କରି ବାଇକ ନେଇ ଫେରାର ହୋଇଯାଇଛନ୍ତି । ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ଇନଫୋଭ୍ୟାଲି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ପହଞ୍ଚି ଛାନଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବର ଯେମିତି ଅପରାଧୀଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ପ୍ରାୟ ପ୍ରତିଦିନ କିଛି ନା କିଛି ଅପରାଧ ସ୍ମାର୍ଟ ସିଟିରେ ଘଟୁଛି । ମୋବାଇଲ ଓ ସୁନା ଚେନ ଲୁଟ ପରି ଅପରାଧ ସାଧାରଣ ଘଟଣାରେ ପରିଣତ ହୋଇଛି । ଗୋଷ୍ଠୀ ସଂଘର୍ଷ ମଧ୍ୟ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ଦିନ ବ୍ୟବଧାନରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ଘଟଣା ମଧ୍ୟ ଘଟୁଛି ।
ବିଶେଷ କରି ରାତି ହେଲେ ଅସାମାଜିକ ଯୁବଗୋଷ୍ଠୀଙ୍କ ଦୌରାତ୍ମ୍ୟ ଉଗ୍ର ରୂପ ନେଉଛି । ରାଜଧାନୀ ରାଜରାସ୍ତାରେ ହାତରେ ମାରଣାସ୍ତ୍ର ଧରି ଏହି ନିଶାଶକ୍ତ ଯୁବଗୋଷ୍ଠୀ କରୁଛନ୍ତି ହଙ୍ଗାମା । ସୋସିଆଲ ମିଡିଆରେ ମଧ୍ୟ ଫଟୋ ପୋଷ୍ଟ କରୁଛନ୍ତି । ସତେ ଯେମିତି ପୋଲିସର କାର୍ଯ୍ୟାନୁଷ୍ଠାନକୁ ଏମାନଙ୍କର ଖାତିର ନାହିଁ ।
ଅନ୍ୟପକ୍ଷରେ ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ କମିଶନରେଟ ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି । ବଡ ଅଭିଯାନରେ ଅସାମାଜିକ ବ୍ୟକ୍ତିଙ୍କୁ କାବୁ କରାଯାଉଛି । ଅପରାଧର କେନ୍ଦ୍ର ପାଲଟି ଥିବା ବସ୍ତିରେ କରାଯାଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ବସ୍ତିକୁ ଚାଲ ଅଭିଯାନ ମଧ୍ୟ ଚାଲୁ ରଖିଛି କମିଶନରେଟ ପୋଲିସ । ଏହି ଅଭିଯାନ ମାଧ୍ୟମରେ ବସ୍ତିର ଯୁବବର୍ଗଙ୍କ ସହ ପୋଲିସ ସାମିଲ ହୋଇ ଅପରାଧ ରୋକିବାକୁ ସଚେତନ କରାଉଛି । ହେଲେ, ଏତେ ସବୁ ସଚେତନତା ପରେ ବି ରାଜଧାନୀରେ ଅପରାଧ ଆଶା ଅନୁସାରେ କମୁ ନଥିବା ପରି ମେନ ହେଉଛି ।