ନୋ ଫ୍ଲାଇଙ୍ଗ ଜୋନ କରିବାକୁ ପୁଣି ଦାବି କଲା ୟୁକ୍ରେନ

କିଭ୍: ୟୁକ୍ରେନରେ ଜାରି ରହିଛି ଋଷର ଆକ୍ରମଣ । ଧ୍ବଂସ ହେଉଛି ଗୋଟିଏ ପରେ ଗୋଟିଏ ସହର । ଏହି ଧ୍ବଂସଲୀଳା ଭିତରେ ଆଜି ପୁଣି ଋଷ ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଦୋଲିଆକ ।

ସେପଟେ ୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରିବାକୁ ପୁଣି ଥରେ ନାଟୋ ନିକଟରେ ଦାବି କରିଛନ୍ତି ଜେଲେନସ୍କି । ସେ କହିଛନ୍ତି, ‘ୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା ନ କଲେ ନାଟୋ ରାଷ୍ଟ୍ର ସୀମାରେ ଖୁବ୍ ଶୀଘ୍ର ଋଷର ରକେଟ ମାଡ ହେବାର ଆଶଙ୍କା ରହିଛି ।’

ପୋଲାଣ୍ଡ ସୀମା ଲିବିବରେ ହୋଇଥିବା ଋଷୀୟ ଏୟାର ଷ୍ଟ୍ରାଇକ ଘଟଣା ନେଇଛି ନୂଆ ମୋଡ । ସେଠାରେ ବିଦେଶୀ ଭଡ଼ାଟିଆ ସୈନ୍ୟ ୟୁକ୍ରେନ ବାହିନୀରେ ସାମିଲ ହୋଇ ଋଷ ବିରୋଧରେ ଯୁଦ୍ଧ କରୁଥିବାରୁ ଆଟାକ୍ କରାଗଲା ବୋଲି ଋଷ କହିଛି । ଗତକାଲିର ଏୟାର ଷ୍ଟ୍ରାଇକରେ ଲିବିବରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି ।

ସେପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଇଲୋ ପୋଦୋଲିଆକ କହିଛନ୍ତି, ରାଜଧାନୀ କିବର ସୁରକ୍ଷା ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ଜାତୀୟ ସୈନ୍ୟବାହିନୀ ଓ ସ୍ବେଚ୍ଛାସେବୀ । ପ୍ରତି ଗଳିକନ୍ଦିରେ ଋଷୀୟ ସୈନ୍ୟଙ୍କ ଗତିରୋଧ ଲାଗି ଲଢେଇ ଚାଲିବ । ଏବେ ବି ମାରିଉପୋଲରେ ଋଷର ଜୋରଦାର ଆକ୍ରମଣ ସହ ବୋମାମାଡ ଜାରି ରହିଛି । ଲୋକମାନେ ପଳାୟନ କରିବାକୁ ବି ଅକ୍ଷମ ହୋଇଛନ୍ତି । ବିଭିନ୍ନ ମସଜିଦ ଉପରେ ଆକ୍ରମଣ ହେଉଥିବାରୁ ସେଠାରେ ବି ଲୋକେ ରହିପାରୁ ନାହାନ୍ତି । ବିଭିନ୍ନ ସହରରେ ଖୋଲାଯାଇଥିବା ୧୪ଟି ହ୍ୟୁମାନ କରିଡର ଜରିଆରେ ଅନେକ ଲୋକ ନିରାପଦରେ ପଳାୟନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ୧୩୦୦ ସୈନ୍ୟ ପ୍ରାଣ ହରାଇଥିବା ବେଳେ, ଋଷର ୧୨ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇଲେଣି ବୋଲି କହିଛନ୍ତି ଜେଲେନସ୍କି । ଅନ୍ୟପଟେ ଜେଲେନସ୍କି ଦେଶ ଛାଡି ଚାଲିଯାଇଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ମିଥ୍ୟା ବୋଲି ସୂଚନା ମିଳିଛି । ସ୍ଥାନୀୟ ଏକ ହସ୍ପିଟାଲକୁ ଯାଇ ସେ ଆହତ ସୈନ୍ୟଙ୍କୁ ଭେଟିବା ସହ ସେମାନଙ୍କୁ ବୀରତ୍ବର ପ୍ରତୀକ ସ୍ବରୂପ ମେଡାଲ ପ୍ରଦାନ କରିଛନ୍ତି ।