୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ: ୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ । ସେଠାକାର ଜଳରାଶିରେ ମାଛ ମାରୁଥିବା ଅଭିଯୋଗରେ ପାକିସ୍ତାନୀ ସାମୁଦ୍ରିକ କର୍ତ୍ତୃପକ୍ଷ ସେମାନଙ୍କୁ ଗିରଫ କରିଛି । ଏହା ସହିତ ୫ଟି ମାଛଧରା ଡଙ୍ଗା ମଧ୍ୟ ଜବତ କରିଥିବା ସେମାନଙ୍କ ପକ୍ଷରୁ କୁହାଯାଇଛି । ଶୁକ୍ରବାର ‘ପାକିସ୍ତାନ ଏକ୍ସକ୍ଲୁଜିଭ୍ ଇକୋନୋମିକ ଜୋନ୍’ ପାଟ୍ରୋଲିଂ କରିବା ବେଳେ ଅନୁପ୍ରବେଶକାରୀ ମାଛଧରା ଡଙ୍ଗାଗୁଡ଼ିକୁ ଅଟକା ଯାଇଥିଲା ।

ସମୁଦ୍ରର କେତେକ ସ୍ଥାନରେ ଠିକ୍‌ ରୂପେ ସୀମାନ୍ତ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ସାମୁଦ୍ରିକ ସୀମା ଉଲ୍ଲଂଘନ ଅଭିଯୋଗରେ ପାକିସ୍ତାନ ଓ ଭାରତ ନିୟମିତ ଭାବେ ଅପରପକ୍ଷର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଛନ୍ତି। ଅନ୍ୟର ଜଳରାଶିରୁ ମାଛ ମାରିବା ଅଭିଯୋଗରେ ଗିରଫ ହେଉଥିବା ପାକିସ୍ତାନ ଓ ଭାରତର ମତ୍ସ୍ୟଜୀବୀମାନଙ୍କୁ କରା ଦଣ୍ଡାଦେଶ ହେଉଛି।

ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ଓ ପାକିସ୍ତାନ କରିଥିବା କଏଦୀମାନଙ୍କ ତାଲିକା ବିନିମୟରୁ ଜଣାପଡ଼ିଛି ଯେ, ୫୧ଜଣ ସାଧାରଣ ନାଗରିକଙ୍କ ଓ ୫୭୭ଜଣ ମତ୍ସ୍ୟଜୀବୀଙ୍କ ସମେତ ଅନ୍ୟୂନ ୬୨୮ଜଣ ଭାରତୀୟ ପାକିସ୍ତାନ ଜେଲରେ କଏଦ ଅଛନ୍ତି । ଭାରତ ଦେଇଥିବା ତାଲିକା ଅନୁସାରେ, ୨୮୨ଜଣ ସାଧାରଣ ନାଗରିକ ଏବଂ ୭୩ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୫୫ଜଣ ପାକିସ୍ତାନୀ ଭାରତର ଜେଲ୍‌ରେ କଏଦ ଅଛନ୍ତି।

Leave a Reply