ୟୁକ୍ରେନକୁ ଆମେରିକାର ଚେତାବନୀ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ

1 min read

ନୂଆଦିଲ୍ଲୀ: ଭୟଙ୍କର ହେଲାଣି ଯୁଦ୍ଧସ୍ଥିତି । ଅବିଳମ୍ବେ ୟୁକ୍ରେନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଡେଡଲାଇନ ଦେଲା ବ୍ରିଟେନ । ସେପଟେ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବ ଋଷ । ଏନେଇ ସତର୍କ କରାଇଛି ଆମେରିକା । ତେବେ ନାଟୋ ଅଞ୍ଚଳର ପ୍ରତିଟି ଇଞ୍ଚର ସ୍ବାର୍ଥର ସୁରକ୍ଷା କରାଯିବ ଏବଂ ଋଷକୁ ଉଚିତ ଜବାବ ଦିଆଯିବ ବୋଲି କହିଛି ଆମେରିକା । ସେପଟେ ତୁରନ୍ତ ୟୁକ୍ରେନ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସି ଅନୁରୋଧ କରିଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ କାଉଣ୍ଟଡାଉନ ଜାରି ରହିଥିବା ବେଳେ, ଖୁବ ଶୀଘ୍ର ବିଡେନ ୟୁକ୍ରେନ ରାଜଧାନୀ କିଏଭକୁ ଆସିପାରନ୍ତି ।

ସେପଟେ ଋଷ ଓ ସହଯୋଗୀ ରାଷ୍ଟ୍ର ବେଲାଋଷ ପକ୍ଷରୁ ଜାରି ସମରାଭ୍ୟାସରେ ସାମିଲ ହୋଇଛି ଅତିଶକ୍ତିଶାଳୀ ଯୁଦ୍ଧ ବିମାନ Su-30SM । ୟୁକ୍ରେନର ଆକ୍ରମଣ ଆଶଙ୍କା କରି ଅନେକ ବିମାନର ଉଡାଣ ବାତିଲ କରିଛି ଋଷ । କିଛି ବିମାନର ଗତିପଥ ମଧ୍ୟ ବଦଳାଯାଇଛି । ତୁରନ୍ତ ୟୁକ୍ରେନ ଛାଡିବା ଲାଗି ନିଜ ନିଜ ଦେଶର ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ୟୁକ୍ରେନରୁ ଆମେରିକା, ଜର୍ମାନୀ, ଇଟାଲୀ, ବ୍ରିଟେନ, ଆର୍ୟାଲ୍ୟାଣ୍ଡ, ବେଲଜିୟମ, କାନାଡା, ନରଓ୍ବେ, ନେଦରଲ୍ୟାଣ୍ଡ୍ସ, ଅଷ୍ଟ୍ରେଲିଆ, ଜାପାନ, ଇସ୍ରାଏଲ, ସାଉଦିଆରବ, ୟୁଏଇର ନାଗରିକମାନେ କୌଣସି ପ୍ରକାରେ ୟୁକ୍ରେନ ଛାଡିବା ଆରମ୍ଭ କରିଛନ୍ତି । ୟୁକ୍ରେନସ୍ଥିତ ଦୂତାବାସରୁ ମଧ୍ୟ ଋଷ ନିଜର କୂଟନୀତିଜ୍ଞମାନଙ୍କୁ ଫେରସ୍ତ କରିବା ଆରମ୍ଭ କରିଛି । ସେହିପରି କିଏଭସ୍ଥିତ ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିଛି କାନାଡା । ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି ।

Leave a Reply