ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ହୋତାଙ୍କ ମରଶରୀରର ଶେଷକୃତ୍ୟ
1 min readଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅବଦାନକୁ ଆଗାମୀ ପିଢ଼ି ମନେ ରଖିବ ବୋଲି କହଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ବିଶିଷ୍ଟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ତଥା ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଉଡ୍ରପଦ୍ଧତ୍ତୀୟ ସଙ୍ଗୀତର ଗବେଷଣା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 6, 2022
ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ ।