୭ ତାରିଖରୁ ପୁଣି ସ୍କୁଲରେ ବାଜିବ ଘଣ୍ଟି

ଭୁବନେଶ୍ବର: ସୋମବାରରୁ ପୁଣି ବାଜିବ ସ୍କୁଲ ଘଣ୍ଟି । କୋଳାହଳରେ କମ୍ପିବ କ୍ୟାମ୍ପସ୍ । ଅଫଲାଇନ୍ ପାଠପଢା ସହ ପରୀକ୍ଷା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ଦଶମ ଓ ଦ୍ବାଦଶ ବୋର୍ଡକୁ ନିର୍ଦ୍ଦେଶ । ପରୀକ୍ଷା ନିଶ୍ଚିତ, ନିର୍ଦ୍ଧାରିତ ତାରିଖକୁ ଅପେକ୍ଷା । ସରକାରଙ୍କ ଘୋଷଣା ପରେ ଚାଲିଛି ସ୍କୁଲ ସଫେଇ କାର୍ଯ୍ୟକ୍ରମ । ସଜଡ଼ା ଚାଲିଛି ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ।

କରୋନା ତୃତୀୟ ଲହର ପାଇଁ ବନ୍ଦ ଥିଲା ପିଲାଙ୍କ ପାଠପଢ଼ା । ହେଲେ ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ବ ସମସ୍ତ ଶ୍ରେଣୀରେ ଆରମ୍ଭ ହେବ ପାଠପଢା । ସେହିଭଳି ୧୪ରୁ କେଜିରୁ ନେଇ ସପ୍ତମ ଯାଏ କ୍ଲାସ୍ ଖୋଲିବ । ୬ ତାରିଖରୁ ସମସ୍ତ ହଷ୍ଟେଲ ଖୋଲିବା ପାଇଁ ଘୋଷଣା ପରେ ତତ୍ପରତା ପ୍ରକାଶ ପାଇଛି । ତେବେ ଦୀର୍ଘ ଦିନ ପରେ ପୁଣି ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମହଲରେ ଖୁସି ପ୍ରକାଶ ପାଇଛି ।

ଦୀର୍ଘ ଦୁଇ ବର୍ଷ ହେଲାଣି ସ୍କୁଲ ହତା ମାଡ଼ି ନାହାନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ । ତେଣୁ ତାଙ୍କୁ ପାଠ ପଢାଇବା ଚ୍ୟାଲେଂଜି ହୋଇପାରେ । ସେପଟେ ସମସ୍ତ କ୍ଲାସ୍ ପ୍ରମୋସନ୍ ପରୀକ୍ଷା ସମେତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା କରିବାକୁ ମଧ୍ୟ ନିଷ୍ପତ୍ତି ଶୁଣାଇଛନ୍ତି ସରକାର । ସେପଟେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରସ୍ତୁତ ନଥିବାରୁ ପରୀକ୍ଷାକୁ ଆଉ ଏକମାସ ଘୁଞ୍ଚାଇ ଦେବାକୁ ମତ ରଖିଛନ୍ତି ଶିକ୍ଷାବିତ । ତେବେ ଅବସ୍ଥା ଦେଖି ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସେପଟେ ବିଦ୍ୟାଳୟରେ ପିଲାଙ୍କ ସୁରକ୍ଷା ପାଇଁ ଖୁବ ଶୀଘ୍ର ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଗାଇଡ଼ଲାଇନ ଜାରି କରିବ ।

Leave a Reply