ନେତାଜୀଙ୍କ ସହିତ ସଂଖ୍ୟା ଗରିଷ୍ଠତା ଥିଲା, ସେ ଝଗଡ଼ା କରି ପାରିଥାନ୍ତେ: ଗାନ୍ଧି-ନେତାଜୀଙ୍କ ସମ୍ପର୍କକୁ ନେଇ ଏମିତି କହିଲେ ସଂଘମୁଖ୍ୟ

ଇମ୍ଫାଲ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ଗାନ୍ଧିଜୀ ଓ ନେତାଜୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଟିପ୍ପଣୀ କରିଛନ୍ତି । ଇମ୍ଫାଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂଘମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ନେତାଜୀ କେବଳ ବିଦେଶୀ ଶାସନ ବିରୋଧରେ ଯୁଦ୍ଧ ଲଢୁନଥିଲେ ,ସେ ମଧ୍ୟ ଦେଶକୁ ଏକାଠି କରୁଥିଲେ । ନେତାଜୀଙ୍କ ସହିତ ଜନସମର୍ଥନ ଥିଲା କିନ୍ତୁ ସେ କାହା ସହିତ ଝଗଡା କରିନଥିଲେ ବୋଲି କହିଛନ୍ତି ଭାଗବତ । ୧୯୩୯ରେ ନେତାଜୀ ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବା ପରେ ମହାତ୍ମା ଗାନ୍ଧୀ ଦୁଃଖୀ ହେବାକୁ ନେଇ ଭାଗବତ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ନେତାଜୀ କଂଗ୍ରେସର ନିର୍ବାଚିତ ସଭାପତି ଥିଲେ କିନ୍ତୁ ଏହାକୁ ନେଇ ଗାନ୍ଧୀଙ୍କ ସହିତ ତାଙ୍କର ମତଭେଦ ଥିଲା । ତେବେ ଦେଶ ହିତକୁ ଦୃଷ୍ଟିରେ ରଖି ନେତାଜୀ ଇସ୍ତଫା ଦେବାକୁ ବାଛିଥିଲେ ।

ନେତାଜୀ ନିଜ ଲୋକଙ୍କ ସହିତ ଝଗଡା କରିନଥିଲେ
ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସେ କହିଥିଲେ ଯେ, ନେତାଜୀଙ୍କ ପ୍ରେରଣା ଆଧ୍ୟାତ୍ମିକ ଥିଲା । ଆଧ୍ୟତ୍ମିକ ପ୍ରେରଣା ନେଇ ସେ ନିଜ ଦେଶ ପାଇଁ ସର୍ବସ୍ୱ ବଳିଦାନ କରିଥିଲେ । ସେ ଇଂରେଜଙ୍କ ବିରୋଧରେ ବଡ଼ଧରଣର ସଂଘର୍ଷ କରିଥିଲେ କିନ୍ତୁ ନିଜ ଦେଶବାସୀଙ୍କ ସହିତ କେବେ ମଧ୍ୟ ଝଗଡା କରିନଥିଲେ । ଦେଶଭକ୍ତି କ’ଣ ? ଦେଶ ଭକ୍ତି ହେଉଛି ନିଜ ଦେଶ ପାଇଁ ତ୍ୟାଗ କରିବା କିନ୍ତୁ ମତଭେଦ ସତ୍ୱେ କାହା ସହିତ ଝଗଡା ନକରିବା ।
ମେଜରିଟି ନେତାଜୀଙ୍କ ସହିତ ଥିଲା..

ସଂଘ ପ୍ରମ୍ମୁଖ କହିଛନ୍ତି ଯେ, ସେ କଂଗ୍ରେସର ନିର୍ବାଚିତ ସଭାପତି ଥିଲେ.. କିଛି କାରଣ ଥାଇପାରେ.. ଜଣା ନାହିଁ ସେ କାରଣ କ’ଣ ଥିଲା କିନ୍ତୁ ଗାନ୍ଧିଜୀ ସନ୍ତୁଷ୍ଟ ନଥିଲେ । ମେଜରିଟି ନେତାଜୀଙ୍କ ସହିତ ଥିଲା କିନ୍ତୁ ସୁଭାଷ ଝଗଡା କରିନଥିଲେ । ସେ ନିଜକୁ ଫେରାଇ ନେଇଥିଲେ । କାରଣ ବିଦେଶୀ ଶାସନ ବିରୋଧରେ ଲଢିବାର ଥିଲା.. ଦେଶକୁ ଏକ ହେବାର ଥିଲା…ତୋର ମୋର ସ୍ୱାର୍ଥକୁ ଭୁଲିବା ଜରୁରୀ ।

୧୯୩୯ ନିର୍ବାଚନକୁ ନେଇ ସଂଘ ପ୍ରମ୍ମୁଖଙ୍କ ଟିପ୍ପଣୀ

୧୯୩୯ର ତ୍ରିପୁରୀ କଂଗ୍ରେସ ଅଧିବେଶନରେ ନେତାଜୀ ଗାନ୍ଧିଜୀଙ୍କ ପ୍ରାର୍ଥୀ ବୋଲି କୁହାଯାଉଥିବା ପଟ୍ଟାଭି ସିତାରମାୟାଙ୍କୁ ହରାଇ କଂଗ୍ରେସର ୫୨ ତମ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସଂଖ୍ୟା ଗରିଷ୍ଠ ସଦସ୍ୟ ନେତାଜୀଙ୍କୁ ସମର୍ଥନ କରିଥିଲେ । କିନ୍ତୁ ଫଳାଫଳ ଆସିବା ପରେ ଗାନ୍ଧିଜୀ ପଟ୍ଟାଭିଙ୍କ ପରାଜୟ ମୋ ପରାଜୟ ବୋଲି କହିଥିଲେ । ଗାନ୍ଧିଜୀଙ୍କ ବକ୍ତବ୍ୟ ପରେ ନେତାଜୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ । କୁହାଯାଏ ଯେ, ନିର୍ବାଚନ ଜିତିବା ପରେ ବି ନେତାଜୀ ନିଜ ପସନ୍ଦର କାର୍ଯ୍ୟକାରୀଣି ତିଆରି କରିପାରିନଥିଲେ । ଏହି ଅଧିବେଶନ ପରେ ନେତାଜୀ କଂଗ୍ରେସଠାରୁ ଅଲଗା ହୋଇ ଅଲ ଇଣ୍ଡିଆ ଫରୱାର୍ଡ୍ ବ୍ଲକ୍ ନାମରେ ଗୋଟିଏ ନୂଆ ଦଳ ତିଆରି କରିଥିଲେ । ତା’ପରେ ସେ ଦେଶରୁ ପଳାୟନ କରି ଆଜାଦ ହିନ୍ଦ୍ ଫୌଜ୍ ଗଠନ କରିଥିଲେ ।

Leave a Reply