ଛାତି ମଧ୍ୟକୁ ପ୍ରବେଶ କରିପାରୁନି ଓମିକ୍ରନ, ଦେଖାଯାଉନି ବିଶେଷ ଲକ୍ଷଣ
ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଜନସଚେତନତା କାର୍ଯ୍ୟକ୍ରମ । ଆଲୋଚନା ଚକ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଓମିକ୍ରନ ପ୍ରବାହ ଭାବେ ଆରମ୍ଭ କରିଛି । ଓମିକ୍ରନର ସଂକ୍ରମଣ କ୍ଷଣତା ଅଧିକ ରହିଥିଲେ ମଧ୍ୟ ରୋଗୀ ଗୁରୁତର ହେଉନାହାନ୍ତି । ଭୂତାଣୁ ଗଳାରେ ରହୁଛି । ଛାତି ମଧ୍ୟକୁ ପ୍ରବେଶ କରି ଶରୀରର କ୍ଷତି କରିପାରୁନି ।
ବିଶେଷ କରି ଗଳାରେ କଷ୍ଟ ହେବା, ନାକ ବନ୍ଦ, ଦେହ ବିନ୍ଧା ହେବା ସହିତ ମୁଣ୍ଡ ବିନ୍ଧିବା ପତଳା ଝାଡା ହେବା ତୃତୀୟ ପ୍ରବାହ ଲକ୍ଷଣ । ତୃତୀୟ ଲହରରେ ଆକ୍ରାନ୍ତ ମାନଙ୍କର ବିଶେଷ ଲକ୍ଷଣ ଦେଖାଯାଉନି । ତେଣୁ ଅଧିକାଂଶ ସଂକ୍ରମିତ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ବିନା ପରାମର୍ଶରେ ଔଷଧ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏବେ କରୋନା ଚିକିତ୍ସା ପାଇଁ ବିଶେଷ କିଛି ଔଷଧର ଆବଶ୍ୟକତା ପଡ଼ୁନି । କିନ୍ତୁ ମନଇଛା ଔଷଧ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ । ଟିକା ନେଇଥିଲେ ମଧ୍ୟ ନିୟମ ମାନିବାକୁ ପଡିବ ।
ସେହିପରି ଡାକ୍ତର କହିଛନ୍ତି ସତର୍କ ନରହିଲେ ଟିକା ନେଇଥିଲେ ମଧ୍ୟ କରୋନା ହେବ । ଏଥିପାଇଁ ମାସ୍କ, ସାମାଜିକ ଦୂରତାକୁ ସବୁବେଳେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ଅଛି । ଆକ୍ରାନ୍ତ ଗୁରୁତର ହେଉନଥିବାରୁ ଅକ୍ସିଜେନ୍ ଓ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ୁନାହିଁ । ତଥାପି ସ୍ବାସ୍ଥ୍ୟ ବିଭାଗ ମୁକାବିଲା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ।