ବିଶ୍ୱରେ ବିରଳ, ମଣିଷ ଶରୀରରେ ଲାଗିଲା ଘୁଷୁରୀ ହୃଦୟ
ୱାସିଂଟନ୍: ପ୍ରଥମଥର ମାନବ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ । ଜେନେଟିକ ଅପରେସନ ମାଧ୍ୟମରେ ଜଣେ ୫୭ ବର୍ଷୀୟ ପୁରୁଷ ଶରୀରରେ ଲାଗିଛି ଘୁଷୁରୀ ହାର୍ଟ । ପ୍ରଥମ ଥର ପାଇଁ ଏହି ଐତିହାସିକ ଟ୍ରାନ୍ସପ୍ଲାଣ୍ଟ କରାଯିବା ସହ ଅପରେସନ ସଫଳ ହୋଇଛି । ଶୁକ୍ରବାର ଅସ୍ତ୍ରୋପ୍ରଚାର କରାଯାଇଥିବାବେଳେ ଏହାର ସବିଶେଷ ତଥ୍ୟ ସୋମବାର ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପ୍ରଦାନ କରିଛି । ମିଳିଥିବା ସୂଚନା ମୁତବାକ ଡେବିଟ ବେନେଟ ନାମକ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥିଲେ । ପରେ ତାଙ୍କର ଚିକିତ୍ସା ପଦ୍ଧତି ଆରମ୍ଭ କରାଯାଇଥିଲା ।
ଅପରେସନ ପୂର୍ବରୁ ଡେବିଟ କହିଥିଲେ, ମୋ ପାଖରେ ଦୁଇଟି ବିକଳ୍ପ ରହିଛି । ଆପଣ ମୋତେ ମାରିଦିଅନ୍ତୁ ନଚେତ, ମୋର ହାର୍ଟ ପ୍ରତିରୋପଣ କରନ୍ତୁ । ଅନ୍ଧାରରେ ବାଡି ବୁଲଇବା ଭଳି ମୁଁ ବଞ୍ଚୁଛି । କେଉଁ ମୂହୂର୍ତ୍ତରେ ମଧ୍ୟ ମୋର ମୃତ୍ୟୁ ଘଟିପାରେ ବୋଲି କହିଥିଲେ ଅପରେସନ ହୋଇଥିବା ଡେବିଟ ବେନେଟ୍ । ପୂର୍ବରୁ ହାର୍ଟ ବାଇପାସ ମେସିନ ସାହାରା ନେଇ ଡେବିଟ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ଏଭଳି ଏକ ମାମଲା ମେଡିକାଲରେ ପହଁଚିବା ପରେ ଅମରଜେନ୍ସି ଅସ୍ତ୍ରୋପ୍ରଚାର ନେଇ ଫୁଡ୍ ଆଣ୍ଟ ଡ୍ରଗ୍ସ ଆଡିମିନଷ୍ଟ୍ରେସନର ଅନୁମତି ମଗାଯାଇଥିଲା । ପରେ ଆରମ୍ଭ ହୋଇଥିଲା ଅପରେସନ ।
ନୂଆବର୍ଷରେ ହୋଇଥିବା ଏହି ଐତିହାସିକ ସର୍ଜରୀ ସଫଳତାର ସହ ଶେଷ ହୋଇଛି ବୋଲି ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପକ୍ଷରୁ କୁହାଯାଇଛି । ମଣିଷ ଦେହରେ ପଶୁଙ୍କ ଅଙ୍ଗ ପ୍ରତିରୋପଣ କରିବାରେ ଏହା ଏକ ବିରାଟ ମାଇଲଖୁଣ୍ଟ ସୃଷ୍ଟି କରିଛି । ଘୁଷୁରୀ ହୃଦୟ ପ୍ରତିରୋପଣ କରାଯାଇଥିବା ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏବେ ତାଙ୍କୁ ହସ୍ପିଟାଲରେ ନିରୀକ୍ଷଣ ପାଇଁ ରଖାଯାଇଛି ।
ଯେହେତୁ ପ୍ରଥମ ଥର ପାଇଁ ମାନବ ଶରୀରରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଉଛି । ତେଣୁ ଏହାକୁ ଚ୍ୟାଲେଞ୍ଜର ସହ ଗ୍ରହଣ କରିଥିଲେ ଡାକ୍ତରୀ ଟିମ୍ । ଚିକିତ୍ସା କରୁଥିବା ଡାକ୍ତର ଗ୍ରୀଫିଥ୍ କହିଛନ୍ତି, ଏହା ଏକ ବ୍ରେକ ଥ୍ର୍ୟୁ ସର୍ଜରୀ ରହିଥିଲା, ମଣିଷ ଶରୀରରେ ଅଙ୍ଗ ପ୍ରତ୍ୟାରୋପଣରେ ଏହି ମାମଲା ଏକ ନୂଆ ଫର୍ଦ୍ଦ ଯୋଡିଛି । ଅପରେସନ ପରେ ବର୍ତ୍ତମାନ ଚିକିତ୍ସିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।