ବିଜେପି, କଂଗ୍ରେସ… କାହାକୁ ହେବ ଫାଇଦା ଆଉ କିଏ ସହିବ କ୍ଷତି ?
1 min readନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ପିଏମ୍ ମୋଦିଙ୍କ କଟାକ୍ଷ ଧନ୍ୟବାଦ । ଏହାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି । ପଞ୍ଜାବର ଫ୍ଲାଏ ଓଭରରୁ ଲାଗିଥିବା ନିଆଁରେ ଏବେ ଚାଲିଛି ରୁଟି ସେକା । ଆଉ ମାସକ ପରେ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ପିଏମଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି କଂଗ୍ରେସ ସରକାରଙ୍କୁ କାଠଗଡ଼ାକୁ ଟାଣି ନେଇଛି । କଂଗ୍ରେସ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ… ଲାଗି ରହିଛି । ଏବେ ପ୍ରଶ୍ନ ପିଏମଙ୍କ ସୁରକ୍ଷା ତ୍ରୁଟି କେଉଁ ଦଳ ଉପରେ ନିର୍ବାଚନରେ କେମିତି ପ୍ରଭାବ ପକାଇବ ?
ପଞ୍ଜାବରେ କ୍ଷମତାରେ ଥିବା କଂଗ୍ରେସ, ବିଧାନସଭା ନିର୍ବାଚନର ମାତ୍ର ୬ ମାସ ପୂର୍ବରୁ ବ୍ଯାକଫୁଟକୁ ଚାଲି ଆସିଥିଲା । ଦଳୀୟ ହାଇକମାଣ୍ଡ ଓ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ କ୍ୟାପଟେନ୍ ଅମିରନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଗତ ସେପ୍ଟେମ୍ବରରେ । ଏହାପରେ କ୍ୟାପଟେନ୍ ନିଜ ଦଳ ଘୋଷଣା କରିବା ସହ ପଦ୍ମ ସହ ମେଣ୍ଟ ପାଇଁ ହାତ ମିଳାଇଥିଲେ । ଯାହା କଂଗ୍ରେସକୁ ବଡ଼ ଝଟକା ଦେଇଥିଲା ।
ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବେଳେ ସୁରକ୍ଷାରେ ବିଭ୍ରାଟ ପଞ୍ଜାବର ଚନ୍ନି ସରକାରଙ୍କୁ ଦୋହଲାଇ ଦେଇଛି । ପିଏମଙ୍କ ସୁରକ୍ଷାରେ ଛିଦ୍ର ବିଜେପି ପାଇଁ ବୁଷ୍ଟର ଡୋଜ୍ ସାଜିଛି । ପଞ୍ଜାବର କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନକୁ ବିପଦରେ ପକାଇଥିବା ନେଇ ଚିତ୍ରଣ କରୁଛି ବିଜେପି । ଅନ୍ୟପଟେ କଂଗ୍ରେସ ଦଳିତ କାର୍ଡ ଖେଳିବା ସହ ପିଏମଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଯଦିଓ ପଞ୍ଜାବରେ ହୋଇଛି । ତଥାପି ଏହାକୁ ନେଇ ପ୍ରତିଟି ପ୍ରଦେଶ କମ୍ପୁଛି । ଲାଗୁଛି ଆଗକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ନିର୍ବାଚନରେ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରି ଫାଇଦା ଉଠାଇବାକୁ ପ୍ରୟାସ କରିବ । ନିର୍ବାଚନ ହେବାକୁ ଥିବା ପାଞ୍ଚ ରାଜ୍ୟ ମଧ୍ୟରୁ ପଞ୍ଜାବକୁ ଛାଡ଼ିଦେଲେ ସବୁଠି ଏବେ ବିଜେପି କ୍ଷମତାରେ ରହିଛି । ଆଉ ନିର୍ବାଚନ ବେଳେ ପିଏମଙ୍କ ସୁରକ୍ଷାରେ ତ୍ରୁଟି ବିଜେପିକୁ ବଡ଼ ରାଜନୈତିକ ଫାଇଦା ଦେଲା ଭଳି ଲାଗୁଛି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ କେବଳ ଯେ ବିଜେପି ପ୍ରଶ୍ନ ଉଠାଇଛି ତା’ନୁହେଁ । ସମ୍ବେଦନଶୀଳ ଘଟଣାରେ ସହାନୁଭୂତି ଦେଖାଇଛନ୍ତି ଅନ୍ୟ ରାଜନୈତିକ ଦଳ ଓ ନେତା । ବିଏସପି ମୁଖ୍ୟ ମାୟାବତୀଙ୍କ ଠାରୁ ଜେଡିଏସ୍ ମୁଖ୍ୟ ଏଚ.ଡି ଦେବଗୌଡ଼ା ସମସ୍ତେ ଚିନ୍ତାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ କୌଣସି ପରିସ୍ଥିତିରେ ଏଭଳି କରାଯିବା ଅନୁଚିତ୍ । ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
The Prime Minister of India is an institution. It is the duty of every Government to provide foolproof security and safeguard the dignity of this institution. Anything contrary should be unacceptable in our democracy.
— Naveen Patnaik (@Naveen_Odisha) January 6, 2022
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ସମସ୍ତେ କଂଗ୍ରେସକୁ ସମାଲୋଚନା କରୁଥିବା ବେଳେ ଦଳ କହିଛି ବିଜେପି ରାଲିରେ ଲୋକ ନଥିଲେ । ଯେଉଁଥିପାଇଁ ରାଲିକୁ ବାତିଲ୍ କରି ସୁରକ୍ଷାକୁ ଏକ ବାହନା କରାଯାଉଛି । ଯାହାକୁ ନେଇ ବିଜେପି, କଂଗ୍ରେସ ଉପରେ ଆକ୍ରମଣ କରିବା ସହ ପଞ୍ଜାବରେ ରାଷ୍ଟ୍ରପତି ଶାସନ ଦାବି କରିଛି । ଆଗକୁ ନିର୍ବାଚନ ଥିବା ବେଳେ ପଞ୍ଜାବରେ ମୁଖ୍ୟତଃ କଂଗ୍ରେସ ଓ ଆପ୍ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଇଛି । ଏବେ ବିଜେପି ଓ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମେଣ୍ଟ ଲଢ଼େଇକୁ ତ୍ରିକୋଣୀୟ କରିପାରେ ।