ନୂଆଦିଲ୍ଲୀ: କରୋନାକୁ ନେଇ ଆତଙ୍କିତ କରିଦେବା ଭଳି ଚେତାବନୀ । ଆସିପାରେ ଆହୁରି ଅଧିକ ଘାତକ ଓ ଭୟଙ୍କର କରୋନା ଭାଇରସ୍ । ଏମିତି ଆଶଙ୍କା ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ଓମିକ୍ରନ ଯେମିତି ଦ୍ରୁତଗତିରେ ମାଡ଼ି ଚାଲିଛି ଏହା ଆହୁରି ଅଧିକ ଘାତକ ଭାରିଆଣ୍ଟ ଆଣିପାରେ ବୋଲି ଚେତାବନୀ ଦେଇଛି WHO ।

ଓମିକ୍ରନ ଯେତେବେଳେ ଚିହ୍ନଟ ହୋଇଥିଲା ଏହାର ଗମ୍ଭିରତାକୁ ନେଇ ବହୁତ ଆଶଙ୍କା କରାଯାଉଥିଲା । ହେଲେ ସଂକ୍ରମଣ ଅଧିକ ହେଉଥିଲେ ମଧ୍ୟ ଏହାର ପ୍ରଭାବ ବେଶି ପଡୁନାହିଁ । ଏହାପରେ କୁହାଯାଉଥିଲା ଶୀଘ୍ର କରୋନା ମହାମାରୀ ଶେଷ ହୋଇଯିବ ଓ ଜୀବନ ପୁଣି ସାମାନ୍ୟ ହୋଇଯିବ । ହେଲେ ସବୁକିଛି ଏତେଶୀଘ୍ର ଠିକ ହେବ ନାହିଁ ଓ ସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି WHO ସ୍ପଷ୍ଟ କରିଦେଇଛି । WHOର ଜରୁରୀକାଳିନ ଅଧିକାରୀ କ୍ୟାଥରିନ ସ୍ମେଲଉଡ ଏଏଫପି ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଓମିକ୍ରନ ସଂକ୍ରମଣ ଦ୍ରୁତଗତିରେ ମାଡ଼ିବା ବିପରୀତ ପ୍ରଭାବ ପକାଇପାରେ ।’

ସେ କହିଛନ୍ତି, ‘ଓମିକ୍ରନ ଯେତେ ଅଧିକ ସଂକ୍ରମିତ ହେବ, ଯେତେ ଥର ଏଥିରେ ପରିବର୍ତ୍ତନ ଆସିବ, ନୂଆ ଭାରିଆଣ୍ଟା ସୃଷ୍ଟି ହେବାର ସେତେ ଅଧିକ ସମ୍ଭାବନା ବଢ଼ିଯିବ । ଓମିକ୍ରନ ଡେଲଟା ଭାରିଆଣ୍ଟରୁ କମ ଘାତକ, ଏଥିରେ ମୃତ୍ୟୁହାର କମ ରହୁଛି । ହେଲେ ନୂଆ ଭାରିଆଣ୍ଟ କେତେ ଭୟଙ୍କର ଓ ଘାତକ ହୋଇ ଆସିବ ଏହା କାହାକୁ ଜଣାନାହିଁ । ଏହାକୁ ନେଇ କିଛି କହିହେବ ନାହିଁ ।’

ସେ ଆହୁରି କହିଛନ୍ତି, ‘ହୁଏତ ଓମିକ୍ରନ କାରଣରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁନାହିଁ । ହେଲେ ଏହା ଯେମିତି ମାଡ଼ି ଚାଲିଛି ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବେ । ଏହା ଲୋକଙ୍କ ମଧ୍ୟରେ ଅନ୍ୟ ବେମାରୀ ସୃଷ୍ଟି କରିପାରେ । ଓମିକ୍ରନରେ ଯଦିଓ ଲୋକଙ୍କ ମୃତ୍ୟୁ ଘଟିବ ନାହିଁ, ଅନ୍ୟ ବେମାରୀରୁ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟିପାରେ ।’

କରୋନାରୁ ମୁକ୍ତି ପାଇବାକୁ ଲୋକେ ପ୍ରାର୍ଥନା କରୁଥିବା ବେଳେ ଓମିକ୍ରନ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏମିତି ସ୍ଥିତିରେ WHOର ଚେତାବନୀ ସ୍ଥିତିକୁ ଆହୁରି ଅଧିକ ଜଟିଳ କରୁଛି । ଆମେ ତ ଏତିକି ରହିବୁ, ‘ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାଇ ରଖନ୍ତୁ । ନିଜେ ସୁସ୍ଥ ରୁହନ୍ତୁ ଓ ଅନ୍ୟଙ୍କୁ ରହିବାକୁ ଦିଅନ୍ତୁ ।’

Leave a Reply