ଜୋହାନ୍ସବର୍ଗ: ଭାରତ-ଦକ୍ଷିଣ ଆଫ୍ରିକ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ । ୨୦୨ ରନ୍ରେ ଦଳ ସୀମିତ ରହିଥିବା ବେଳେ ଏବେ ବୋଲରଙ୍କ ଭରସାରେ ଟିମ୍ । କୋହଲୀଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭଲ ବ୍ୟାଟିଂ କରିଛନ୍ତି, ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ୨୦୨ ରନରେ ପହଞ୍ଚିଛି।
ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧ ୱିକେଟ୍ ହରାଇ ୩୫ ରନ୍ କରିଛି। କ୍ୟାପଟେନ୍ ଡିନ୍ ଏଲଗାର ୧୧ ଓ କୀଗାନ ପିଟରସନ୍ ୧୪ ରନ୍ କରି ଅପରାଜିତ ରହିଛନ୍ତି। ଏଡେନ୍ ମାର୍କରାମ ୭ ରନ୍ କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲା । ଦକ୍ଷିଣ ଆଫ୍ରିକା ଏବେବି ୧୬୭ ରନରେ ପଛୁଆ ରହିଛି। ତେବେ ଦଳ ହାତରେ ଆହୁରି ୯ ୱିକେଟ୍ ବାକି ରହିଛି।
ରାହୁଲ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ମୟଙ୍କ ଅଗ୍ରୱାଲ (୨୬) ଦ୍ରୁତ ରନ୍ ବ୍ୟାଟିଂ କରିଥିଲେ, କିନ୍ତୁ କିଛି ସମୟ ପରେ ମାର୍କୋ ଜାନସେନ୍ ତାଙ୍କୁ ଆଉଟ କରିଥିଲେ।
ଖରାପ ଫର୍ମରେ ଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟା ରାହାଣେ କ୍ରିଜରେ ତିଷ୍ଠିପାରିନଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଡୁଆନ୍ ଓଲିଭିଅର୍ ଲଗାତର ଦୁଇଟି ବଲରେ ଆଉଟ୍ କରିଥିଲେ। ପୂଜାରା ୩ ଓ ରାହାଣେ ବିନା ଖାତା ଖୋଲି ପ୍ୟାଭିଲିୟନ୍ ଫେରିଥିଲେ। କୋହଲିଙ୍କ ସ୍ଥାନରେ ସୁଯୋଗ ପାଇଥିବା ହନୁମା ବିହାରୀ ନିଜର କମବ୍ୟାକ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଭଲ ଭାଗିଦାରୀ ଗଢ଼ିଥିଲେ। ହେଲେ ଏହି ଯୋଡ଼ିକୁ ଘରୋଇ ଦଳର ଏକ ନମ୍ବର ବୋଲର କାଗିସୋ ରବାଡା ଭାଙ୍ଗିଥିଲେ।
ବିହାରୀ ମାତ୍ର ୨୦ ରନ୍ କରି ଆଉଟ୍ ହେବା ପରେ ରାହୁଲ୍ ଅର୍ଦ୍ଧଶତକ ମାରି ନିଜ ୱିକେଟ୍ ହରାଇ ବସିଥିଲେ। ରାହୁଲଙ୍କୁ ଆଉଟ୍ କରି ଜାନସେନ୍ ଭାରତକୁ ବଡ଼ ଝଟକା ଦେଇଥିଲେ। ରାହୁଲ ୧୩୩ ବଲରେ ୯ ଚୌକା ସହ ୫୦ ରନ୍ କରିଥିଲେ। ଅଶ୍ୱିନ୍ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ତେବେ ଋଷଭ ପନ୍ତ ପୁଣିଥରେ ନିରାଶ କରିଥିଲେ। ପନ୍ତଙ୍କୁ ମଧ୍ୟ ଜାନସେନ୍ ନିଜର ଶିକାର ବନାଇଥିଲେ।
ଶାର୍ଦ୍ଦୁଲ ଠାକୁର ଖାତା ଖୋଲିପାରିନଥିବା ବେଳେ ମହମ୍ମଦ ଶାମି ୯ ରନ୍ କରି ଆଉଟ୍ ହୋଇଥିଲେ। ଅଶ୍ୱିନ୍ ୫୦ ବଲରେ ୪୬ (୬ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଯଶପ୍ରୀତ ବୁମ୍ରା ୧୧ ବଲରେ ଦ୍ରୁତ ୧୪ (୨ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜ ୧ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି। ସୂଚନା ଯୋଗ୍ୟ ୩ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

