ଘୁଞ୍ଚିବ ୫ ରାଜ୍ୟର ବିଧାନସଭା ନିର୍ବାଚନ !
ନୂଆ ଦିଲ୍ଲୀ : ଦେଶରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ନିର୍ବାଚନ ପ୍ରକ୍ରିୟାକୁ କିଛିଦିନ ଘୁଞ୍ଚାଇବାକୁ ନେଇ ନିଷ୍ପତ୍ତି ନେଇପାରନ୍ତି ଇଲେକ୍ସନ କମିଶନ । ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନେଇ ଆଜି କୌଣସି ନିଷ୍ପତ୍ତି ଧାର୍ଯ୍ୟ ହୋଇନଥିବା ବେଳେ ଆଜି ଦିଲ୍ଲୀରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଦେଶରେ କରୋନା ସ୍ଥିତି ନେଇ ଏବଂ ନିର୍ବାଚନ ସ୍ଥଗିତ ରଖିବା ନେଇ ବୈଠକରେ ଆଲୋଚନା ହୋଇପାରେ । ବୈଠକରେ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ଓମିକ୍ରନ ସ୍ଥିତିକୁ ନେଇ ରିପୋର୍ଟ ମାଗିଥିବା ସୂଚନା ମିଳିଛି । ଏହି ବୈଠକ ଏକ ଘଣ୍ଟା ଧରି ଚାଲିବା ସହ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜେଶ ଭୂଷଣ ଉପସ୍ଥିତ ଥିଲେ । ରାଜେଶ ଭୂଷଣଙ୍କୁ ଭୋଟ ପ୍ରଚାର ପ୍ରସାର, ମତଦାନ ଏବଂ ଭୋଟଗଣତି ସମୟରେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛି ନିର୍ବାଚନ ଆୟୋଗ । ଜାନୁଆରୀ ପ୍ରଥମ ସପ୍ତାହରେ ପୁନର୍ବାର ନିର୍ବାଚନ ଆୟୋଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ବୈଠକ ଆୟୋଜିତ ହେବାର ଯୋଜନା ରହିଛି ।
ପୂର୍ବରୁ ନିର୍ବାଚନ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ୨୦୨୨ରେ ଉତ୍ତରପ୍ରଦେଶ, ମଣିପୁର, ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ମାର୍ଚ୍ଚରେ ଏହି ୫ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ପୁରା ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ଶେଷ କରିବା ଆବଶ୍ୟକ । ଏବେଠାରୁ ନୂଆ ଭାରିଆଣ୍ଟକୁ ନେଇ ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ରାଜନୖତିକ ରାଲି, ସଭାସମିତି ଯୋଗୁ ଭୟାନକ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଏଥିସହ ଦେଶରେ ଏଯାବତ୍ ୫ ଶହ ୭୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ଏବଂ କେତେକ ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ମଧ୍ୟ ପରିଲକ୍ଷିତ ହେଉଛି । ଫଳରେ ନିର୍ବାଚନକୁ କିଛି ମାସ ଘୁଞ୍ଚାଇବା ନେଇ ବୈଠକରେ ବିଚାର ବିମର୍ଶ ଚାଲିଛି । ଆଜି ନିର୍ବାଚନ ଆୟୋଗଙ୍କ ବୈଠକ ପରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।
ଦେଶରେ ଓମିକ୍ରନ ମାମଲା ୫ ଶହ ୫୭୮ରେ ପହଞ୍ଚିଥିବା ବେଳେ ଏମାନଙ୍କୁ ମଧ୍ୟରୁ ୧୫୧ ଜଣ ସୁସ୍ଥ ହେବାର ସୂଚନା ମିଳିଛି । ନିର୍ବାଚନ ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶରେ ଏଯାବତ୍ ୨ଟି ମାମଲା ଦେଖାଯାଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଯାଇଥିବାର ରିପୋର୍ଟରୁ ପ୍ରକାଶ । ଏପଟେ ଉତ୍ତରାଖଣ୍ଡରେ ଗୋଟିଏ ମାମଲା ଥିବାବେଳେ ପଞ୍ଜାବ, ଗୋଆ ଏବଂ ମଣିପୁରରୁ ଏଯାଏ କୌଣସି ମାମଲା ଆସିନାହିଁ ।