ଆନ୍ଧ୍ରରେ ଆତଙ୍କ ଓଡ଼ିଶାରେ ସତର୍କତା: ଡିସେମ୍ୱର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଅମାନିଆ ଓମିକ୍ରନ୍ । ବିଦେଶରେ କାୟା ବିସ୍ତାର ପରେ ଦେଶରେ ବଢ଼ାଇଛି ଚିନ୍ତା । ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ଆଲର୍ଟରେ ଓଡ଼ିଶା। ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଆଶ୍ୱସ୍ତିର କଥା, ଏଯାଏଁ ଓଡିଶାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସେପଟେ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବା ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ଆନ୍ଧ୍ରରେ ଓମିକ୍ରନ୍‌ ଆତଙ୍କ, ଓଡ଼ିଶା ସତର୍କ । ସୀମା ଉପରେ ରହିବ କଡା ନଜର । ଫୋକସ୍‌ରେ ଟେଷ୍ଟିଂ, ଟ୍ରାକିଂ । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୁଜରାଟ, ଦିଲ୍ଲୀ, ଚଣ୍ଡୀଗଡ ପରେ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି ଓମିକ୍ରନ । ପଡୋଶୀ ରାଜ୍ୟରେ ଓମିକ୍ରନ ଚିହ୍ନଟ ପରେ, ସୀମାବର୍ତ୍ତି ଜିଲ୍ଲାଗୁଡିକୁ ଆଲର୍ଟ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ବିଦେଶ ଫେରନ୍ତାଙ୍କର ବିମାନବନ୍ଦରରେ ଟେଷ୍ଟିଂ କରାଯାଉଛି । କ୍ଲଷ୍ଟରରୁ ପଜିଟିଭ ହେଉଥିବା କିମ୍ବା ବିଦେଶ ଫେରନ୍ତା ସଂକ୍ରମିତଙ୍କର ଜେନମ ସିକ୍ବେନ୍‌ସିଂ କରାଯାଉଛି । ତେବେ ଆଶ୍ୱସ୍ତିର କଥା, ଏଯାଏଁ ଓଡିଶାରେ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।

ସେପଟେ ଓମିକ୍ରନ ବିରୋଧରେ ଟିକା କାମ ଦେଉଥିବାରୁ, ସମସ୍ତଙ୍କୁ ଟିକାକରଣରେ ସାମିଲ ହେବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ଏଯାଏଁ ରାଜ୍ୟରେ ୧୩ପ୍ରତିଶତ ବା ୪୧ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇନାହାଁନ୍ତି । ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ୫୪ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି । ଡିସେମ୍ବର ୩୧ ସୁଦ୍ଧା ଘରେ ଘରେ ଟିକାକରଣ ପ୍ରକ୍ରିୟା ଜାରି ରହିବ ।

ମୟୁରଭଞ୍ଜ, କନ୍ଧମାଳ ଓ କଟକ ଜିଲ୍ଲାରେ ପ୍ରଥମ ଡୋଜ୍ ଟିକା ନେଉଥିବା ଲୋକଙ୍କ ସଂଖ୍ୟା ସବୁଠାରୁ କମ୍ । ଏସବୁ ଜିଲ୍ଲାମାନଙ୍କରେ ଟିକାକରଣ ଜୋରଦାର କରିବା ପାଇଁ ଅଣ୍ଟାଭିଡିଛି ସ୍ୱାସ୍ଥ୍ୟ ବିଭାଗ ।

Leave a Reply