କଟକ: ଟ୍ୱିନ୍ ସିଟିରେ ମାତିଛନ୍ତି ଦୁର୍ବୃତ୍ତ। କେତେବେଳେ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି ତ ପୁଣି କେତେବେଳେ ଗାଡ଼ିରେ ଆସି ଚେନ୍ ସ୍ନାଚିଂ କରୁଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତ ମାନେ ପୋଲିସକୁ ବିଭିନ୍ନ ସମୟରେ ଚ୍ୟାଲେଞ୍ଜ ଦେଉଛନ୍ତି। ଏଭଳି ପରିସ୍ଥିତିରେ କଟକ କମିଶନରେଟ ପୋଲିସ୍ ତାର ତଦନ୍ତକୁ ଜୋରଦାର କରିଛି। ଗୋଡ଼ାଇ ଗୋଡ଼ାଇ ଆତଙ୍କ ସୃଷ୍ଟି କରୁଥିବା ଦୁର୍ବୃତ୍ତ ମାନଙ୍କୁ ଧରୁଛି ପୋଲିସ୍।

କିଛିଦିନ ପୂର୍ବରୁ କଟକ ଏବଂ ଭୁବନେଶ୍ୱରରୁ ବନ୍ଧୁକ ଖଣ୍ଡା ଜବତ ହୋଇଥିବା ବେଳେ ଆଜି କଟକରେ ପୁଣି ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ଓ ଗୁଳିକୁ ଜବତ କରିଛି ଲାଲବାଗ ଥାନା ପୋଲିସ। ୫ଟି ବନ୍ଧୁକ ଜବତ ହୋଇଥିବା ବେଳେ ୩୦ରାଉଣ୍ଡ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ମାଧ୍ୟମରେ ଆତଙ୍କ ପାଇଁ କରୁଥିଲେ ପ୍ଲାନ୍। ତେବେ ପ୍ଲାନ ସଫଳ ହେବା ପୂର୍ବରୁ ମାଡ଼ିବସିଥିଲା ପୋଲିସ୍। ବନ୍ଧୁକ ଜବତ ହେବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ।
ଯଦି ଦେଖିବା ତେବେ କିଛି ଦିନ ହେବ ଦୁର୍ବୃତ୍ତ ମାନେ ଅଧିକରୁ ଅଧିକ ଆତଙ୍କ ଖେଳାଇବାକୁ ଲାଗିଛନ୍ତି। ବିଭିନ୍ନ ପ୍ରକାରର ଭିଡିଓ କରି ସୋସିଆଲ ମିଡିଆରେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। କେତେବେଳେ ବନ୍ଧୁକ ଫୁଟାଇତ ପୁଣି କେତେବେଳେ ଖଣ୍ଡା ବୁଲାଇ କରୁଛନ୍ତି ଭିଡିଓ। ଭିଡିଓ ମାଧ୍ୟମରେ ମୁହଁରେ ମୁଖା ପିନ୍ଧି ପୋଲିସ୍ କୁ ମଧ୍ୟ ଚ୍ୟାଲେଞ୍ଚ ଦେଉଛନ୍ତି। ଯାହାକୁ ନେଇ ଏବେ ପୋଲିସ୍ ପ୍ରଶାସନ କଠୋର ହୋଇଛି। ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି।

