BSKY ସ୍ମାର୍ଟ ହେଲ୍‌ଥ କାର୍ଡ ପାଇଲା ସମ୍ବଲପୁର, ୨୦୨୨ ସୁଦ୍ଧା ସମ୍ବଲପୁରର ପ୍ରତିଟି ଘରେ ପହଞ୍ଚିବ ବିଶୁଦ୍ଧ ପାଣି

ସମ୍ବଲପୁର: ସୁସ୍ଥ ସମ୍ବଲପୁର ପାଇଁ ସ୍ମାର୍ଟ ବ୍ଲୁପ୍ରିଣ୍ଟ। ମୁଖ୍ୟମନ୍ତ୍ରୀ ନିଜ ହାତରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଛନ୍ତି। ଉନ୍ନତି ପଥରେ ଆଉ ପାଦେ ଆଗେଇଲା ସମ୍ବଲପୁର। ଆଜି ସମ୍ବଲପୁର କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ହେଲଥ କାର୍ଡ। ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ନେଇ ଯିବାକୁ ପଡ଼ିବାନାହିଁ। କେବଳ କାର୍ଡ ନେଲେ ହୋଇପାରିବ ଚିକିତ୍ସା। ସମ୍ବଲପୁରର ପ୍ରତି ବ୍ଲକରେ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ଦାୟିତ୍ୱ ଦିଆଯାଇଛି। ୯ଟି ବ୍ଲକ ସହିତ ମହାନଗର ନିଗମ ଅଞ୍ଚଳର ମୋଟ ୨ଲକ୍ଷ ୨୮ହଜାର ୨୧୩ ଜଣ ବିଏସକେଓ୍ୱାଇ କାର୍ଡ ପାଇବେ।

ନିଜ ଉଦବୋଧନରେ ନବୀନ ମାଆ ସମଲେଶ୍ୱରୀଙ୍କ ପୀଠକୁ ଆସି ଆଜି ବହୁତ ଖୁସି ଥିବା କହିଛନ୍ତି। ଇତିହାସ, ଅର୍ଥନୀତି, ରାଜନୀତି ଶିକ୍ଷା, ସଂସ୍କୃତିରେ ସମ୍ବଲପୁରର ବିଶେଷ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ବଲପୁରୀ ଭାଷା ପରି ସମ୍ବଲପୁରର ଗୀତ ଏବଂ ଶାଢ଼ି ସାରା ବିଶ୍ୱରେ ବେଶ ଆଦର ସାଉଣ୍ଟିଛି। ବିଶ୍ୱ ଦରବାରରେ ଆଜି ଶାଢ଼ି ପାଇଁ ସମ୍ବଲପୁର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେପଟେ ମାଆ ସମଲେଶ୍ୱରୀଙ୍କ ସୌନ୍ଦର୍ଯ୍ୟକରଣ ଏବଂ ବିକାଶମୂଳକ କାର୍ଯ୍ୟକୁ ସରକାର ନିଜ ହାତକୁ ଦେଇଛନ୍ତି। ଯାହାଦ୍ୱାରା ଏଠାରୁ ଆସୁଥିବା ପର୍ଯ୍ୟଟକ ବେଶ ସୁବିଧା ପାଇପାରିବେ।

ଆଜି ସମ୍ବଲପୁରରେ ୧୫୫୩ କୋଟିର ପ୍ରକଳ୍ପର ଶିଳାନ୍ୟାସ ହେବା ସହ ସେଥିମଧ୍ୟରୁ ୩୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସମସ୍ତଙ୍କୁ ସୁସ୍ଥ ପାଣି ଯୋଗାଇବା ପାଇଁ ସରକାର ଅଧିକ ଉଦ୍ୟମ କରୁଛନ୍ତି। ସେଥିପାଇଁ ସମ୍ବଲପୁର ଜିଲ୍ଲାରୁ ଏକ ହଜାର କୋଟି ଟଙ୍କା ପାଣି ପାଇଁ ପ୍ରକଳ୍ପ ଯୋଗାଇ ଦିଆଯାଇଛି। ୨୦୨୨ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ସମ୍ବଲପୁର ଏହି କାର୍ଡ ପାଉଥିବାରୁ ସେ ବହୁତ ଖୁସି। ସମ୍ବଲପୁରର ୭ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ।  ଏହି ହେଲ୍ଥ ସେବା ହେଉଛି ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ ଷ୍ଟୋନ୍‌। ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ପରିବାରର କେହି ଅସୁସ୍ଥ ହେଲେ ଟେନସନ ବଢ଼ିଯାଏ। ଚିକିତ୍ସା ପାଇଁ କିଏ ଜମି ତ କିଏ ଗହଣା ବିକି ଅର୍ଥ ଯୋଗାଡ଼ କରିଥାନ୍ତି। ଏପରିକି ପିଲାଙ୍କ ପାଠପଢ଼ାରେ ବି ଡୋରି ଲାଗିଯାଏ। ଯାହା ତାଙ୍କୁ ଖୁବ ଦୁଃଖ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଆଉ କାହାକୁ ଏପରି ଅସୁବିଧା ଭୋଗିବାକୁ ପଡ଼ିବନି। ସ୍ମାର୍ଟ କାର୍ଡରେ ସୁବିଧାରେ ମିଳିବ ସମସ୍ତ ଚିକିତ୍ସା ସହାୟତା।

କୋଭିଡ ଓ ଅଣକୋଭିଡ ଚିକିତ୍ସା ବିନା କାଗଜପତ୍ରରେ ଅବିଳମ୍ବେ ଏହି ସୁବିଧା ମିଳିବ। ତେଣୁ ସଂଚିତ ଅର୍ଥ ରୋଗ ପାଇଁ ଖର୍ଚ୍ଚ ନହୋଇ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ପ୍ରତି ଜୀବନ ମୂଲ୍ୟବାନ ବୋଲି ନବୀନ କହିଥିବାବେଳେ ଗାଁ ହେଉ କି ସହର ସମସ୍ତେ ସୁସ୍ଥରେ ରୁହନ୍ତୁ ବୋଲି କହିଛନ୍ତି। ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ ବୋଲି କହିଛନ୍ତି। ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ। ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି ନବୀନ।

ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ। ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ। ଅନ୍ନପୂର୍ଣ୍ଣା, ଅନ୍ତୋଦୟ ହିତାଧିକାରୀଙ୍କୁ କାର୍ଡ ମିଳିବ। ରାଜ୍ୟ ସହ ଦେଶର ୨୦୦ଟି ହସପିଟାଲରେ କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply