ଟିକା ନେଇ ନଥିବା ଲୋକଙ୍କୁ ଘର ଘର ବୁଲି ଖୋଜିବେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶା ଦିଦି

ଭୁବନେଶ୍ୱର: ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ। ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କମୀ। ଆଜିଠୁ ଘର ଘର ବୁଲି ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ। ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି। ଦେଶରେ ୧୧କୋଟି ଓ ରାଜ୍ୟରେ ୩୦ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ। ଆଜିଠୁ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ଯେଉଁମାନେ ଟିକା ନେଇ ନାହାଁନ୍ତି, ସେମାନଙ୍କୁ ଟିକା ଦେବା ପାଇଁ ଅଭିଯାନ ଆରମ୍ଭ କରିବ ସ୍ୱାସ୍ଥ୍ୟ ବିଭାଗ।

ତୁରନ୍ତ ଏମାନଙ୍କର ତାଲିକା ପ୍ରସ୍ତୁତ କରି ଦ୍ୱିତୀୟ ଡୋଜ୍ ଟିକା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇନଥିବେ ସେଠାରେ ଟିକାଦାନ କେନ୍ଦ୍ର କରାଯିବ। ରାଜ୍ୟରେ ୨କୋଟି ୫୭ ଲକ୍ଷ ପ୍ରଥମ ଡୋଜ ଟିକା ନେଇଛନ୍ତି। ୩୦ଲକ୍ଷ ଲୋକ ଅବଧି ସମୟ ସରିବା ପରେ ବି ଦ୍ୱିତୀୟ ଡ଼ୋଜ ଟିକା ନେଇନାହାନ୍ତି। ଚଳିତମାସ ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି। ରାଜ୍ୟରେ ଦୈନିକ ୪ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରଖାଯାଇଛି।

ସେହି ଅନୁସାରେ ୧୬ଶହରୁ ଅଧିକ ଟିକାକରଣ କେନ୍ଦ୍ର କରାଯାଇଛି। ସେପଟେ ରାଜ୍ୟରେ ଏବେ କରୋନା ସ୍ଥିତି ଭଲ ଅଛି। ହେଲେ ପଡ଼ୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ। ବିଶେଷ ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିବାକୁ ପଡ଼ିବ। ସେଠାରେ ସର୍ଭେଲାନ୍ସ ମଧ୍ୟ କଡ଼ାକଡ଼ି କରାଯିବ। ରାଜ୍ୟରେ ଏବେ ଟେଷ୍ଟ, ସର୍ଭେଲାନ୍ସ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି।

Leave a Reply