spot_img

Latest Posts

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଗତକାଲିର ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏବେ ଉତ୍ତର-ପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ-ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଗାମୀ ୨-୩ ଦିନ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ବିଶେଷ କରି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ପାଗ ବଦଳିବା ସହ ବର୍ଷାର ପରିମାଣ କମିବ।

ସେପଟେ ଚଳିତ ମାସ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ନିଅଣ୍ଟିଆ ବର୍ଷା ଭରଣା କରିବାରେ ବିଫଳ ହୋଇଛି। ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ମାତ୍ର ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ, ୨୪ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୬ଟି ଜିଲ୍ଲାରେ ୪୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ଭଦ୍ରକ, ଯାଜପୁର ଏବଂ ବଲାଙ୍ଗୀର ଜିଲ୍ଲା ନିଅଣ୍ଟିଆ ବର୍ଷା ପାଇଁ ଅଧିକ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ।

Latest Posts

Don't Miss