ଭୁବନେଶ୍ୱର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ
ଭୁବନେଶ୍ୱର: ତୃଣମୂଳସ୍ତରକୁ ଯିବ ବିଜେଡିର ଛାମୁଆ ସଂଗଠନ । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନାକୁ ପହଞ୍ଚାଇବା ସହିତ ଗରିବଙ୍କ ସହିତ ଠିଆ ହେବ ବିଜୁ ଜନତା ଦଳ । ଭୁବନେଶ୍ବର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏପରି ସଂକଳ୍ପ ନେଇଛନ୍ତି ବିଜେଡି ନେତା ଓ କର୍ମୀ । ବିଧାୟକ ତଥା ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ବରରେ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୩ଟି ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଛି ।
କୋଭିଡ ପରିଚାଳନାରେ ସାରା ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ଏହା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ପ୍ରଚଳ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଇତିହାସ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ହକିକୁ ମଧ୍ୟ ନୂଆ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୩୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ହକିର ପ୍ରାୟୋଜକ ଦାୟିତ୍ବ ନେଇଥିବାରୁ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଆଗକୁ ପଞ୍ଚାୟତ ଓ ପୈାର ନିର୍ବାଚନ ଆସୁଥିବାରୁ ଦଳର ସ୍ଥିତିକୁ ସୁଦୃଢ କରିବାକୁ ଗୁରୁତ୍ବ ଦିଆଯାଇଛି ।
ଦଳ ଯେପରି ଶତ ପ୍ରତିଶତ ସଫଳତା ପାଇବ ସେଥିପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ ନେତା । ବୈଠକରେ ବିଜେଡି ଉପସଭାପତି ତଥା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଶ୍ରୀମତି ପ୍ରମିଳା ମଲ୍ଲିକ, ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ମୋ ପିରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିଥିଲେ । ଏମାନଙ୍କ ସହିତ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।