spot_img

Latest Posts

ଲଘୁଚାପ ରୂପ ନେଲା ସୃଷ୍ଟ ଘୂର୍ଣ୍ଣିବଳୟ, ଆସନ୍ତା ୩ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ଲଘୁଚାପ ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ। ଘନୀଭୂତ ହେବା ପରେ ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ରହିଛି। ଲଘୁଚାପ ପ୍ରଭାବରେ ଆଗାମୀ ୩ଘଣ୍ଟାରେ ୧୩ଜିଲ୍ଲାରେ ସ୍ୱଲ୍ପରୁ ମଦ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର , ବାଲେଶ୍ୱର, ମୟୂରଭ଼ଞ୍ଜ, ଢେଙ୍କାନାଳ, ନୟାଗଡ଼ ଓ କଟକରେ ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ହେବ।

ଆଜି ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଏବଂ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ୫ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଗଞ୍ଜାମ, ପୁରୀ, କଟକ, ଖୋର୍ଦ୍ଧା, କନ୍ଧମାଳ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କନ୍ଧମାଳ, ବୌଦ୍ଧ, ପୁରୀ, କଳାହାଣ୍ଡି ଏବଂ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ। ସମୁଦ୍ର ଅଶାନ୍ତ ରହିବା କାରଣରୁ ଆଜି ଏବଂ ଆସନ୍ତାକାଲି ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ଏବେ ବି ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଜୁନ୍ ୧ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରାଜ୍ୟରେ ୫୩୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍। ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, ବଲାଙ୍ଗିରରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି। ସେହିପରି କେନ୍ଦୁଝର, ଝାରସୁଗୁଡାରେ ୪୧ ପ୍ରତିଶତ ଏବଂ ଅନୁଗୁଳରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Latest Posts

Don't Miss