spot_img

Latest Posts

ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ, ରୁଆ ବେଉଷଣ ପାଇଁ ବର୍ଷାକୁ ଅପେକ୍ଷା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି। କାଁ ଭାଁ ଲଘୁଚାପ ବର୍ଷାକୁ ଛାଡ଼ିଦେଲେ ଜିଲ୍ଲାରେ ବର୍ଷାର ପରିମାଣ ଖୁବ କମ ରହିଛି। ଫଳରେ ଜିଲ୍ଲାର ଚାଷୀ ଚାଷ ପାଇଁ ବିଲରେ ତଳି ପକାଇଥିବା ବେଳେ ରୁଆ ବେଉଷଣ ପାଇଁ ବର୍ଷା ଜଳକୁ ଅପେକ୍ଷା କରି ଚିନ୍ତାରେ ରହିଛି। କିଛି କିଛି ସ୍ଥାନରେ ତଳି ପକାଇଥିବା ଜମି ବର୍ଷା ଅଭାବରୁ ଫାଟି ଆଁ କଲାଣି। ଚଳିତ ବର୍ଷ ଠିକ ସମୟରେ ମୌସୁମୀର ଆଗମନ ଦେଖି ଚାଷୀ ଖରିଫ ଋତୁରେ ଚାଷ କାମ ଭଲ ହେବ ବୋଲି ଆଶା କରିଥିଲା।

ହେଲେ ଆକାଶରେ କେବଳ ଭସା ବାଦାଲ ଦେଖି ଭଲ ଚାଷର ଆଶା ବି ସେହି ବାଦଲ ସହ ଭାସି ଚାଲିଯାଉଛି। ଅଣ ଜଳସେଚିତ ଅଞ୍ଚଳ ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ତରଭା ଆଦି ବ୍ଲକ ମାନଙ୍କରେ ରୁଆ ବେଉଷଣ ଠପ ହୋଇଯାଇଛି। ଜଳ ସେଚନର କୌଣସି ବ୍ୟବସ୍ଥା ନଥିବାରୁ କେମିତି ଚାଷ କରିବ ସେ ଚିନ୍ତାରେ ଏବେ ଚାଷୀ। ଗୋଟିଏ ପଟେ  ବର୍ଷା ଅଭାବରୁ ଚାଷୀ ଚିନ୍ତାରେ ପଡିଥିବା ବେଳେ ଅନ୍ୟପଟେ ଖରିଫ ଚାଷ ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି।

ଜିଲ୍ଲାରେ ଗତ ଜୁନ ମାସରେ ୨୧୭ ମିଲିମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ୨୦୯ ମିଲିମିଟର ସ୍ୱାଭାବିକ ବର୍ଷା ହୋଇଛି। ଫଳରେ ଚାଷୀ ଆଗୁଆ ଚାଷ କାମ ଆରମ୍ଭ କରିଥିଲେ। ହେଲେ ଚାଷୀ ରୁଆକାମ ସାରିଦେଇଥିବା ବେଳେ ଜୁଲାଇ ମାସରେ ୩୧୯ ମିଲିମିଟର ଜାଗରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୭୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୨ ଟି ବ୍ଲକକୁ ଛାଡିଦେଲେ ପ୍ରାୟ ସମସ୍ତ ବ୍ଲକରେ ବର୍ଷା ଉପରେ ନିର୍ଭର କରି ଚାଷ କରିଥାଏ ଚାଷୀ।  ତେବେ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ କେମିତି ପରିବାର ଚଳାଇବ ସେ ଚିନ୍ତାରେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ଶହ ଶହ ହେକ୍ଟର ଧାନଚାଷ ନଷ୍ଟ ହେବାକୁ ବସିଲାଣି। ବର୍ତମାନ ମଧ୍ୟ ବହୁ ଚାଷ ଜମି ପଡିଆ ପଡିଛି ।

 

Latest Posts

Don't Miss