spot_img

Latest Posts

ହାତ ଛାଡ଼ିଲା ସ୍ୱାମୀ ପରକରିଦେଲା ପରିବାର, ଶେଷରେ ଲେମ୍ବୁ ସରବତ ବିକି ହେଲେ ସବ୍‌-ଇନିସପେକ୍ଟର

ନୂଆଦିଲ୍ଲୀ: କପାଳ ଲିଖନ କେ କରିବ ଆନ। ଯାହା ଭାଗ୍ୟରେ ଅଛି ତା’ ହେବ ହିଁ ହେବ। ପରିସ୍ଥିତି ଆଗରେ ମଥାପାତି ଦୁଃଖ କଷ୍ଟ ଭୋଗିବାକୁ ପଡ଼ିବ ଆଉ ଯନ୍ତ୍ରଣା ସହିବାକୁ ପଡ଼ିବ। ହେଲେ ଜଣେ ସିଙ୍ଗଲ ମଦରଙ୍କର ଅତୁଟ ସାହସ, ବିଶ୍ୱାସ, ନିଷ୍ଠା ଓ ପରିସ୍ଥିତିକୁ ବଦଳାଇ ଦେବାର ଜିଦ୍ ଆଗରେ ସବୁ ହାର ମାନିଛି। ଯେଉଁଠି ଦିନେ ସେ ଲେମ୍ବୁ ସରବତ ବିକି ଭଙ୍ଗା କୁଡ଼ିଆରେ ରହୁଥିଲେ ଆଜି ସେ ପୋଲିସ ସବ୍ ଇନ୍ସପେକ୍ଟର। ଅକ୍ଳାନ୍ତ ପରିଶ୍ରମ କରି ଅତୀତରେ ସେ ଯନ୍ତ୍ରଣାଦାୟକ ଦିନଠାରୁ ନେଇଛନ୍ତି ମଧୁର ପ୍ରତିଶୋଧ।

ବୟସ ମାତ୍ର ୧୮ବର୍ଷ। ଯୁକ୍ତ ୩ ପ୍ରଥମ ବର୍ଷ ପାଠ ପଢ଼ା ଚାଲିଥାଏ। ପରିବାର ଲୋକଙ୍କ ଜିଦ୍ ଆଗରେ ହାର୍ ମାନି ବାହା ହୋଇ ଶାଶୂ ଘରକୁ ଗଲେ କେରଳର ଆନି ସିବା। ହେଲେ ପୁଅ ଜନ୍ମ ହେବାର ୬ ମାସ ପରେ ପର କରିଦେଲା ସ୍ୱାମୀ। ବାପଘର ଲୋକ ବି ଆଡ଼ ଆଖିରେ ଦେଖିଲେନି। କିଛିଦିନ ଜେଜେମା’ଙ୍କ ଘରେ ରହିବା ପରେ ପେଟ ପୋଷିବା ପାଇଁ ଭରକଲାଠାରେ ଏକ ଭଙ୍ଗା କୁଡିଆରେ ପୁଅ ସହ ରହିବାକୁ ଲାଗିଲେ। ଭରକଲାର ଶିବଗିରି ଆଶ୍ରମରେ ଲେମ୍ବୁ ପାଣି, ଆଇସକ୍ରିମ୍ ଆଉ ହାତତିଆରି ସାମଗ୍ରୀ ବିକ୍ରି କରି ଦିପଇସା ରୋଜଗାର କରିବାକୁ ଚେଷ୍ଟା କରିଥିଲେ। ହେଲେ ହାର ମାନିନଥିଲେ। ଜଣେ ସହୃଦୟ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରେ ପୁଣି ଥରେ ପଢ଼ିବା ଆରମ୍ଭ କରିଥିଲେ ଆନି। ଛୋଟ ପୁଅକୁ ଧରି ପାଠ ପଢ଼ିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। ହେଲେ କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ବଳରେ ଦୂର ହୋଇଛି କଷ୍ଟ। ଆନି ଶିବା ଆଜି ସବ୍‌-ଇନିସପେକ୍ଟର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ସହରରେ ଦିନେ ଆନି ବାର ଦୁଆର ସୁଣ୍ଢି ପିଣ୍ଡା ହେବାକୁ ପଡ଼ିଥିଲା, ଆଜି ସେହି ସହରରେ ମିଳିଛି SI ନିଯୁକ୍ତି।

ଆନି ତାଙ୍କର ଏହି ପ୍ରେରଣା ଭରା କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ପାଲଟି ଯାଇଛନ୍ତି ଇଣ୍ଟରନେଟ୍ ସେନସେସନ। ସବୁଆଡେ ଆନିଙ୍କ ନିଷ୍ଠା ଓ କଠିନ ପରିଶ୍ରମକୁ ନେଇ ପ୍ରଶଂସା। ସିଙ୍ଗଲ ମଦର ଭାବେ ତାଙ୍କ ସାହସକୁ ସଲାମ୍ କରୁଛନ୍ତି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି। ଫେସବୁକରେ ଏକ ପୋଷ୍ଟରେ ଆନି ଲେଖିଛନ୍ତି, ୧୦ବର୍ଷ ପୂର୍ବେ ମୁଁ ବରକଲା ଶିବଗିରି ଆସୁଥିବା ଲୋକଙ୍କୁ ଲେମ୍ବୁପାଣି, ଆଇସକ୍ରିମ୍ ବିକୁଥିଲି। ଏବେ ସେହି ସହରକୁ ମୁଁ ପୋଲିସ ସବ୍ ଇନ୍ସପେକ୍ଟର ଭାବେ ଫେରିଛି।

Latest Posts

Don't Miss