ନନ୍ଦିଘୋଷ ବ୍ୟୁରୋ: ଚେକ୍ ବାଉନ୍ସ ମାମଲାରେ ରାଜପାଲ ୟାଦବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ବୁଧବାର ସୁପ୍ରିମକୋର୍ଟରେ ହାଜର ହୋଇ ଅଭିନେତା ରାଜପାଲ ୟାଦବ ଋଣର କିଛି ଅଂଶ ଅର୍ଥାତ୍ ୧ କୋଟି ୧୫ ଲକ୍ଷର ଟଙ୍କାର ଡ଼ିମାଣ୍ତ ଡ୍ରାଫ୍ଟ ଦାଖଲ କରିଛନ୍ତି । ତେବେ ବାକି ୮୫ ଲକ୍ଷ ଟଙ୍କା ଜମା କରିବା ପାଇଁ ସେ ଅକ୍ଚୋବର ୧୩ ପର୍ଯ୍ୟନ୍ତ ସମୟ ମାଗିଥିବା ସୂଚନା ମିଳିଛି । ୨୦୧୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଆତା ପତା ଲାପତା” ପାଇଁ ଋଣ ଓ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଚେକ ବାଉନ୍ସ ସହ ଜଡ଼ିତ ଆବେଦନର ଶୁଣାଣି ଆଜି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
କୋର୍ଟରେ ନିଜ ପକ୍ଷ ରଖିବା ବେଳେ ଅଭିନେତା ଦୁଃଖ ପ୍ରକାଶ କରିବା ସହ କହିଥିଲେ, “ମୁଁ ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛି, ହେଲେ ଏବେ ନିଜେ ଏକ ଡ୍ରାମା ପାଲଟିଯାଇଛି”। ତାଙ୍କର ବହୁ ଟଙ୍କା ବୁଡ଼ିଯାଇଥିବା କଥା ମଧ୍ୟ ସେ କୋର୍ଟଙ୍କୁ କହିଥିଲେ। ରାଜପାଳଙ୍କ କହିବା ଅନୁଯାୟୀ, ଏକ ଫିଲ୍ମରେ ତାଙ୍କର ପ୍ରାୟ ୧୭ କୋଟି ଟଙ୍କା କ୍ଷତି ହୋଇଛି। ଗତ ୧୩ ବର୍ଷ ଧରି ତାଙ୍କ ଫିଲ୍ମ ନିର୍ମାଣ ହୋଇପାରିନଥିବା ଓ ମାମଲା କାରଣରୁ ତାଙ୍କର ପ୍ରାୟ ୨୨ କୋଟି ଟଙ୍କାର କ୍ଷତି ହୋଇଥିବା ସେ ଦାବି କରିଛନ୍ତି। ଏବେ ପୁଣି ତାଙ୍କୁ କାମ ମିଳିବା ଆରମ୍ଭ ହୋଇଛି ଓ ସେ ସମସ୍ତ ଋଣ ପରିଶୋଧ କରିଦେବେ ବୋଲି କହିଛନ୍ତି।
ସୂଚନାଥାଉ କି, ଚେକ ବାଉନ୍ସ ସହ ଜଡ଼ିତ ୭ଟି ମାମଲାରେ ରାଜପାଲ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ପୂର୍ବରୁ, ସୁପ୍ରିମକୋର୍ଟ ତାଙ୍କୁ ୫ କୋଟି ଜମା କରିବାରେ ବିଫଳ ହୋଇଥିବାରୁ ଭର୍ତ୍ସନା କରିଥିଲେ। ତେବେ କୋର୍ଟ ଏବେ ତାଙ୍କୁ ବାକି ଟଙ୍କା ଜମା କରିବା ନେଇ ଶେଷ ସୁଯୋଗ ଦେଇଛନ୍ତି ।
ଭାରତରେ କଠୋର ଚେକ୍ ବାଉନ୍ସ ଆଇନ ରହିଛି । ଏହି ଆଇନ ଅନୁଯାୟୀ, ଯେତେବେଳେ ଚେକ୍ ବାଉନ୍ସ ହୁଏ, ସେ ସମୟରେ ପ୍ରଦାନକାରୀଙ୍କୁ ଏକ ନୋଟିସ୍ ପଠାଯାଇଥାଏ । ଯେଉଁଥିରେ ପେମେଣ୍ଟ କରିବା ନେଇ ଦାବି କରାଯାଇଥାଏ। ଚେକ୍ ଜାରି କରିବା ପୂର୍ବରୁ ପ୍ରଦାନକାରୀଙ୍କୁ ସେମାନଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ରଖିବା ଆବଶ୍ୟକ।

