ମାଟ୍ରିକ ପରୀକ୍ଷା ବାତିଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ବାତିଲ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଣଶିକ୍ଷା ବିଭାଗ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି ।
ମେ ମାସ ୩ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିଲା ମାଟ୍ରିକ ପରୀକ୍ଷା ।ସେହିପରି ମେ୧୮ ତାରିଖରେ ହୋଇଥାନ୍ତା ମଦ୍ରାସା ବୋର୍ଡ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏବଂ ମଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।
ସୂଚନା ଅନୁଯାୟୀ ଏହି ବୋର୍ଡ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଫଳ ପ୍ରକାଶନ କରାଯିବ । ଯେଉଁ ଛାତ୍ରଛାତ୍ରୀ ମାନେ ଉକ୍ତ ଦିନରେ ପରୀକ୍ଷା ଦେବାକୁ ଅସମ୍ମତି ପ୍ରକାଶ କରିବେ , ସେମାନଙ୍କ ପାଇଁ ସାନି ତାରିଖ ଘୋଷଣା କରାଯିବ । ଅର୍ଥାତ କୋଭିଡ ସମୟ ପ୍ରଶମିତ ହେବାପରେ ସେମାନେ ପରୀକ୍ଷା ଦେଇପାରିବେ ।
ପରୀକ୍ଷା ବାତିଲ ନେଇ ଗତକାଲି ଶତାଧିକ ଛାତ୍ର ନବୀନ ନିବାସ ସାମ୍ନାରେ ବିକ୍ଷୋଭ କରିଥିଲେ । କୋଭିଡ ଯୋଗୁଁ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି ଜଣାଇଥିଲେ ମାଟ୍ରିକ ଛାତ୍ରଛାତ୍ରୀ । ନବୀନ ନିବାସ ସମ୍ମୁଖରେ ରାଜଧାନୀର ୧୫ଟି ସ୍କୁଲର ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ଦାବି ଜଣାଇଥିଲେ । ପରୀକ୍ଷା ସ୍ଥଗିତ ନୁହେଁ ବାତିଲ କରାଯାଉ ବୋଲି କହିଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ।