spot_img

Latest Posts

କରୋନା କଟକଣାରେ ହେବ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା

ଭୁବନେଶ୍ୱର: କରୋନା କଟକଣା ଭିତରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଆୟୋଜିତ ହେବାକୁ ଯାଉଛି। ଯାହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର । ବିନା ଭକ୍ତରେ ସିମୀତ ସଂଖ୍ୟକ ପୋଲିସ ଓ ସେବାୟତରେ ହେବ ଏହି ରଥଯାତ୍ରା । ଅପରାହ୍ନ ୧୨ଟାରୁ ରଥ ଦାଣ୍ଡରେ ୧୪୪ ଧାରା ଲାଗୁ କରାଯିବ। ଦାଣ୍ଡର ଦୁଇ ପଟେ ଥିବା ଘର ମାନଙ୍କର ଛାତ ଉପରେ ମଧ୍ୟ ଲୋକଙ୍କୁ ଦେଖିବାକୁ ଅନୁମତି ଦିଆଯାଇ ନାହିଁ।

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଟ୍ରାଫିକ୍ କଟକଣା ଅନୁଯାୟୀ କୌଣସି ଯାନବାହନକୁ ମାଉସୀ ମା  ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ି ଗୁଡ଼କ ମାଉସୀ ମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ। ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହନକୁ ଯିବାକୁ ଅନୁମତି ମିଳିବନି।

ସେହିପରି ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ। ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ଠାରୁ ୫୦୦ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

କୋଭିଡ ସଂକ୍ରମିତ ବଢିବାରୁ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପୁଣି ଥରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଉପରେ ରୋକ ଲଗାଯାଇଛି । କିନ୍ତୁ ମନ୍ଦିର ଭିତର ପୂର୍ବପରି ନୀତିକାନ୍ତି ଜାରି ରହିବ । ନୀତିକାନ୍ତିରେ କୈଣସି ପରିବର୍ତ୍ତନ କରାଯିବ ନାହିଁ । ସେହିପରି ସେବାୟତ ମାନେ ନୀତିକାନ୍ତି ସମ୍ପାଦନ କରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Latest Posts

Don't Miss