spot_img

Latest Posts

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ମାସ୍କ ପିନ୍ଧି ନିୟମିତ ହାତ ଧୋଇବାକୁ ଅପିଲ, ଟ୍ୱିଟ୍ କରି ଟିକାକରଣକୁ ପ୍ରଂଶସା

ଭୁବନେଶ୍ୱର: କୋଭିଡ୍ ମହାମାରୀର ଦ୍ୱିତୀୟ ସଂକ୍ରମଣର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେତେକ ରାଜ୍ୟରେ କୋଭିଡ୍ ସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ପ୍ରତିରୋଧମୂଳକ ପଦକ୍ଷେପ ନନେଲେ, ବିପଦ ବଢିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି। ଏହା ମଧ୍ୟରେ କୋଭିଡ ଯୁଦ୍ଧର ବର୍ଷେ ପୂରଣ ହୋଇଛି। କୋଭିଡ୍ ଯୋଦ୍ଧାଙ୍କ ନିସ୍ୱାର୍ଥପର ସେବା ଓ ତ୍ୟାଗ ଯୋଗୁ ଏପର୍ଯ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ ।

ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସଫଳ କୋଭିଡ ମୁକାବିଲା ପାଇଁ ସ୍ୱୀକୃତି ମିଳିଛି । ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ୱାଭାବିକ ସ୍ଥିତିକୁ ଫେରୁଛି । ତେବେ ଦେଶରେ ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେବା ଭଳି ସ୍ଥିତି ଲକ୍ଷ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ଦ୍ୱିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବା ଜରୁରୀ। ସମସ୍ତ ଜିଲ୍ଲାଗୁଡିକ ନିଜ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥାଙ୍କ ସହ ସଚେତନତା ଓ ସମନ୍ୱୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ। ତେଣୁ ସମସ୍ତେ କୋଭିଡ୍ ନିୟମାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ସମସ୍ତେ ସତର୍କ ରହିବା ସହ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳ ଓ ଏସ୍‌ପି ନିଜ ନିଜ ଅଞ୍ଚଳରେ ଅନୁପାଳନ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଛନ୍ତି। ଗାଁ, ସାପ୍ତାହିକ ହାଟ ଓ ଭିଡ ଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯିବ । ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍‌ ଓ ଟେଷ୍ଟିଂକୁ କଡାକଡି ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ୧୦ଲକ୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ କରୋନା ଟିକାକରଣ ହୋଇଛି । ଟିକାକରଣକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଟୁଇଟ୍ କରି ସ୍ୱାସ୍ଥ୍ୟ କର୍ମୀ ଓ ଟିକାକରଣ ପ୍ରକ୍ରିୟା ସହିତ ଜଡିତ ବ୍ୟକ୍ତିଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Latest Posts

Don't Miss