ସ୍କୁଲ ଖୋଲିବା ପରେ ବି ଜାରି ରହିବ ଅନଲାଇନ୍ କ୍ଲାସ୍
1 min readଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । ଅନଲାଇନ ପଢିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯିବ । ସ୍କୁଲ ଖୋଲିଲେ ମଧ୍ୟ ପୂର୍ବ ଭଳି ଅନଲାଇନ୍ କ୍ଲାସ୍ ଜାରି ରହିବ । ଅଭିଭାବକଙ୍କ ଲିଖିତ ସହମତିରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ଉପସ୍ଥାନ ହାରକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ନାହିଁ । ଜିଲ୍ଲାପାଳ ମାନେ ଅସାଧାରଣ ପରିସ୍ଥିତିରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅନୁମତି ମିଳିବନି ।
ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୫ ଛାତ୍ରଛାତ୍ରୀ ରହିବେ । ପୂର୍ବଭଳି ୧୦ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ହେବ ପାଠପଢା । ଭିନ୍ନଭିନ୍ନ ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଖାଇବା ଛୁଟି ରହିବ । ସ୍କୁଲରେ ଖେଳ ଓ ବୈଠକକୁ ବାରଣ କରାଯାଇଛି । ବାହାରର ଖାଇବା ବିକାଳିଙ୍କୁ ସ୍କୁଲର ୧୦୦ ମିଟର ଭିତରକୁ ପ୍ରବେଶ ପାଇଁ ମନା କରାଯାଇଛି । ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ହେବ । ପ୍ରତି ସ୍କୁଲରେ ରହିବ କୋଭିଡ୍ ମନିଟରିଂ ଟିମ୍ । ମନିଟରିଂ ଟିମ୍ରେ ଜଣେ ଶିକ୍ଷକ ଓ ଜଣେ ଅଭିଭାବକ ରହିବେ । ପ୍ରତିଦିନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଏଥିସହ ସବୁଦିନ ସ୍କୁଲ କ୍ୟାମ୍ପସକୁ ସାନିଟାଇଜ୍ କରାଯିବ ।
ଏଥିସହ ପଢ଼ନ୍ତୁ- ୮ରୁ ଖୋଲିବ ସ୍କୁଲ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୦୦ ଦିନର ପାଠ୍ୟକ୍ରମ
ସଫେଇ କାମରେ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯିବ ନାହିଁ ବୋଲି କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ରହିବ ସାନିଟାଇଜର ଓ ସାବୁନ । ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ୍ୟ ଉପକରଣ ଆଦାନ ପ୍ରଦାନକୁ ମନା କରାଯାଇଛି । ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ ।
ସ୍କୁଲରେ କେହି ପଜିଟିଭ୍ ବାହାରିଲେ ପ୍ରଥମେ ତାଙ୍କୁ ଆଇସୋଲେଟ୍ କରାଯିବ । ଅଭିଭାବକଙ୍କୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ବାବଦରେ ସ୍କୁଲ ପ୍ରଶାସନ ଜଣାଇବେ । ତେବେ ହଷ୍ଟେଲ ଖୋଲିବା ନେଇ ପରେ ଗାଇଡଲାଇନ୍ ଜାରି ହେବ । ସ୍କୁଲ ପରିବହନ ବ୍ୟବସ୍ଥାକୁ ମଧ୍ୟ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକ ମାନେ ଛାତ୍ରଛାତ୍ରୀଙ୍କ ସ୍କୁଲ ପହଞ୍ଚିବା ଦାୟିତ୍ୱ ନେବେ । ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ।
ଏଥିସହ ପଢ଼ନ୍ତୁ- ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କେବେ ? ଜାଣନ୍ତୁ ତାରିଖ…