spot_img

Latest Posts

ଥମୁନି ଚାଷୀ ଆନ୍ଦୋଳନ, ଜାନୁଆରି ୪ରେ ପୁଣି ବୈଠକ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ବୁଧବାର ଦିନ କେନ୍ଦ୍ର ସରକାର ଚାଷୀଙ୍କ ଦୁଇଟି ସର୍ତ୍ତ ମାନିଛନ୍ତି। ଏଥିରେ ଚାଷୀଙ୍କର ସମସ୍ତ ଦାବି ଉପରେ ସରକାର ସ୍ପଷ୍ଟୀକରଣ ଦେଇନଥିବାରୁ ପୁଣି ଜାନୁଆରୀ 4 ତାରିଖରେ ଆଉ ଏକ ବୈଠକ ବସିବ ବୋଲି ସୂଚନା ରହିଛି।

ସୂଚନା ମୁତାବକ ବିଦ୍ୟୁତ୍‌ ଦେୟକୁ ନେଇ ସହମତି ପ୍ରକାଶ କରିବା ସହ ଏମ୍‌ଏସ୍‌ପିକୁ ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର। ଏଥିସହ କୃଷି ଆଇନକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।

ତେବେ ଅନ୍ୟ ଦାବିଗୁଡ଼ିକୁ ନେଇ କୌଣସି ସମାଧାନର ବାଟ ବାହାରିନଥିବା ବେଳେ ଏବେ ବି ଜିଦ୍‌ରେ ଅଟଳ ଚାଷୀ। ଗତକାଲି ଷଷ୍ଠ ଥର ପାଇଁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ବୈଠକ ବସିଥିଲା। ଏପଟେ ଚାଷୀଙ୍କ କହିବାନୁସାରେ ଆଇନରେ ସଂଶୋଧନକୁ ଗ୍ରହଣ କରାଯିବ ନାହିଁ। ଆଇନ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ଦିଲ୍ଲୀରେ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ । ମୁଖ୍ୟତଃ ତିନୋଟି ନୂଆ କୃଷି ଆଇନ ଉପରେ ଆଲୋଚନା ହେବାର ଥିଲା।

ସମ୍ପୂର୍ଣ୍ଣ ଭାବେ ଆଇନ୍ ଫେରାଇ ନେବା ପାଇଁ ଚାଷୀମାନେ ଦାବି କରୁଥିବା ବେଳେ ସରକାର ଏଥିରେ କିଛିଟା ସଂଶୋଧନ କରିବା ପାଇଁ ରାଜି ହୋଇଛନ୍ତି । ଏଥିସହ ଏମଏସପିରେ ଗ୍ୟାରେଣ୍ଟି ନେଇ ଦାବି କରି ଆସୁଛନ୍ତି ଚାଷୀମାନେ ।

ତେବେ ଖରା ଓ ଶୀତରେ ଗତ ୩୬ ଦିନ ହେଲା ସିଂଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ସରକାର ଯେପର୍ଯ୍ୟନ୍ତ ଦାବି ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ସୂଚନା ଦେଇଛନ୍ତି।

 

Latest Posts

Don't Miss