ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ୯୬ ବର୍ଷୀୟ ବୟୋଜ୍ୟେଷ୍ଠ

96 Years Old Gadadhar Cured From Covid19

ଭୁବନେଶ୍ୱର: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲରୁ ଆସିଛି ଆଶ୍ୱସ୍ତିକର ଖବର । କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଡୁମଡୁମା ଅଞ୍ଚଳ ବୟୋଜ୍ୟେଷ୍ଠ ବ୍ୟକ୍ତି ଗଦାଧର ଦାସ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲରେ ଗତ ଡିସେମ୍ବର ୨୦ ତାରିଖରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଜର, ଛାତିରେ କଫ ଜମିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ତାଙ୍କୁ ସୁସ୍ଥ କରିବା ନିମନ୍ତେ ଆଇସିୟୁରେ ରଖାଯାଇ ଅକ୍ସିଜେନ୍ ମଧ୍ୟ ଦିଆଯାଇଥିଲା । ଦୀର୍ଘ ୯ ଦିନ ଧରି ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କର ଉତ୍ତମ ଚିକିତ୍ସା, ସେବା, ଯତ୍ନ କରିବା ଫଳରେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି ।

ତାଙ୍କ ପୁଅ ଧର୍ମାନନ୍ଦ ଦାସ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡରେ ଭର୍ତ୍ତି ହୋଇଥିଲେ । ବାପାପୁଅ ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ବୃଦ୍ଧ ବାପା କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ହସ୍ପିଟାଲକୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ପୁଅ ଧର୍ମାନନ୍ଦ । କେବଳ ଗଦାଧର ନୁହଁନ୍ତି କରୋନାର ପ୍ରଥମ ଏବଂ ଦ୍ୱିତୀୟ ପ୍ରବାହରେ ଅନେକ ବୟୋଜ୍ୟେଷ୍ଠ ଓ ବୟୋଜ୍ୟେଷ୍ଠା କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡରେ ଭର୍ତ୍ତି ହୋଇଥିବା ବେଳେ ସମ୍ କୋଭିଡ୍ ଯୋଦ୍ଧାଙ୍କ
ଚିକିତ୍ସା, ସେବା ଶୁଶ୍ରୁଷା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ବହୁ ସଂଖ୍ୟାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply