ରାଜ୍ୟରେ ଖୋଲିବ ୯୩ଟି ନୂତନ ଆହାର କେନ୍ଦ୍ର, ଏଣିକି ରବିବାର ବି ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର: ଆଉ ରବିବାରରେ ଖାଦ୍ୟପାଇଁ ହନ୍ତସନ୍ତ ହେବେନି ଡାକ୍ତରଖାନା ଆସୁଥିବା ଗରିବ । ଏଣିକି ରବିବାରରେ ବି ଡାକ୍ତରଖାନା ପରିସରରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇଛି । ଏଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟରେ ମୋଟ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି ।

ଏଥିରୁ ୫୮ଟିରେ ରାତିରେ ମଧ୍ୟ ଖାଦ୍ୟ ମିଳୁଛି । ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ହଜାର ଲୋକ ଉପକୃତ ହେଉଛନ୍ତି । ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସ୍ବାସ୍ଥ୍ୟ ବିଭାଗ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲା । ଆବଶ୍ୟକାକୁ ଦୃଷ୍ଟିରେ ରଖି ରବିବାର ମଧ୍ୟ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ବଢିବ ଆହାର କେନ୍ଦ୍ରର ପରିସର । ଖୋଲିବ ଆଉ ୯୩ଟି ନୂଆ ଆହାର କେନ୍ଦ୍ର । ଏଥିପାଇଁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଏବେ ୧୬୭ଟି ଆହର କେନ୍ଦ୍ର ଥିବାବେଳେ ୯୩ଟି ନୂତନ କେନ୍ଦ୍ର ହୋଇ ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ । ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ସମସ୍ତ ଆହର କେନ୍ଦ୍ର ସମସ୍ତ ପ୍ରାଥମିକ ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଥବା ନିକଟରେ ଖୋଲାଯିବ । ଏହାଦ୍ବାରା ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।