ପ୍ରଶିକ୍ଷଣ ନେବେ ବିଧାନସଭାକୁ ନବ ନିର୍ବାଚିତ ୮୪ ବିଧାୟକ

ଭୁବନେଶ୍ବର: ପାଠ ପଢିବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ବ ସମ୍ପର୍କରେ ଦେବେ ଜ୍ଞାନ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ ।

ବିଧାୟକ ପଢିବେ ପାଠ । ପ୍ରଶିକ୍ଷଣ ଦେବେ ନବୀନ, ନଡ୍ଡା, ନରସିଂହ ଓ ଧର୍ମେନ୍ଦ୍ର । ଦୁଇ ଦିନ ଧରି ଚାଲିବ ପ୍ରଶିକ୍ଷଣ । ଉତ୍ସାହିତ ନବ ନିର୍ବାଚିତ ବିଧାୟକ । ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଅବଗତ ହେବେ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ । ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାନସଭାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ନବ ନିର୍ବାଚିତ ବିଧାୟକଙ୍କୁ ପାଠ ପଢ଼ାଇବେ ଅଭିଜ୍ଞ, ବରିଷ୍ଠ ବିଧାୟକ ଓ ମନ୍ତ୍ରୀ । ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁ, ଜୁଏଲ ଓରାମ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଦେବେ ପ୍ରଶିକ୍ଷଣ । ନବ ନିର୍ବାଚିତ ବିଧାୟକଙ୍କୁ ବିଧାନସଭାର ନୀତି, ନିୟମ ଓ ବ୍ୟବସ୍ଥା ବିଷୟରେ ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ ।

ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ । ବିଜେପିରୁ ସର୍ବାଧିକ ୫୪ ଜଣ ଥିବା ବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ବିଧାୟକମାନେ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ଓ ବିଭିନ୍ନ ବିଷୟରେ ଗୃହର ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ସେନେଇ ପାଠ ପଢ଼ିବେ । ସଂସଦୀୟ ପରମ୍ପରା ଓ ଶିଷ୍ଟାଚାର ଉପରେ ନୂଆ ବିଧାୟକଙ୍କୁ ଜ୍ଞାନ ବାଣ୍ଟିବେ ଅଭିଜ୍ଞ ବିଧାୟକ ।

ନୂଆ ଜୋସ ଓ ନୂଆ ସ୍ବପ୍ନ ନେଇ ବିଧାନସଭାକୁ ଆସିଛନ୍ତି ନୂଆ ବିଧାୟକ । ଗୃହ ବିଷୟରେ ବହୁତ କିଛି ଶିଖିବା ପାଇଁ ଏହି ପ୍ରଶିକ୍ଷଣ ଶିବିର ବେଶ ସହାୟକ ହେବ ।