୫୦ କେଜି ସୁନା ଓ ଦୁଇ କ୍ବିଣ୍ଟାଲରୁ ଅଧିକ ରୂପା ଜବତ, ମୁମ୍ବାଇରୁ ଆସିଥିଲା ଭୁବନେଶ୍ବର

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଇଣ୍ଟର ନ୍ୟାସନାଲ ବିମାନ ବନ୍ଦର ସୁନା ଚୋରା ଚାଲାଣର ଗୁଡ଼ ଓ୍ବେ ପାଲଟିଛି କି ? ବିଭିନ୍ନ ସମୟରେ ବିମାନ ବନ୍ଦରରୁ ଚୋରା ଚାଲାଣ ବେଳେ ସୁନା ଓ ଅନ୍ୟ ମୂଲ୍ୟବାନ ଦ୍ରବ୍ୟ ଜବତ ହେଇଛି । ହେଲେ ଆଜି ଯେଉଁ ପରିମାଣରେ ସୁନା ଓ ରୂପା ଜବତ ହୋଇଛି ତାହା ବହୁ ପ୍ରଶ୍ନ ଛିଡା କରିଛି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁମ୍ବାଇରୁ ଭୁବନେଶ୍ବର ଆସିଥିବା ୫୦ କେଜି ସୁନା ଓ ଦୁଇ କ୍ବିଣ୍ଟାଲରୁ ଅଧିକ ରୂପା ଜବତ କରାଯାଇଛି । ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏହି ସୁନା ଓ ରୂପା ଜବତ କରାଯାଇଛି । ଦୁଇଟି ଏଟିଏମ ଟଙ୍କା ଡିପୋଜିଟ୍ କଣ୍ଟେନର ମଧ୍ୟ ଜବତ କରିଛି ସିଟି ଜିଏସଟି ।

ଜବତ ସୁନା ଓ ରୂପାର ଆନୁମାନିକ ମୂଲ୍ୟ ୫୦ କୋଟି ହେବ ବୋଲି ଜଣାପଡିଛି । ଭୁବନେଶ୍ୱର ଏୟାରପୋର୍ଟରୁ ଏତେ ପରିମାଣର ସୁନା ମିଳିଛି । ଓଡ଼ିଶାର ବିଭିନ୍ନ ସୁନା ଦୋକାନକୁ ଏହା ଯାଇଥାନ୍ତା । ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଜିଏସଟି, ଇନଭଏସ, ଟ୍ୟାକ୍ସ ସହ ଓଜନ ଖାପ ଖାଉଛି କି ନାହିଁ ତା’ର ଯାଞ୍ଚ ଚାଲିଛି ।

ତେବେ ଏହି ସୁନା ସଠିକ ଉପାୟରେ ବିଭିନ୍ନ ସୁନା ଦୋକାନୀଙ୍କ ଅର୍ଡର ଅନୁସାରେ ଆସିଛି କି ଚୋରା ଚାଲାଣ ହେଉଥିଲା ତାହାର ଯାଞ୍ଚ ଚାଲିଛି । ତେବେ ଏହା ଚୋରାଚାଲାଣ ବୋଲି ସନ୍ଦେହ କରାଯାଉଛି । କାରଣ ସୁନା ନେବାରେ ଏଟିଏମ୍ ଟଙ୍କା ଡିପୋଜିଟ୍ କଣ୍ଟେନର ବ୍ୟବହାର କରାଯିବା ଅନେକ ପ୍ରଶ୍ନ ଛିଡ଼ା କରିଛି ।

ଯଦି ଏହା ଚୋରାଚାଲାଣ ହେଉଥିବ ତେବେ ଓଡ଼ିଶାରେ ଏତେ ପରିମାଣରେ ଚୋରାରେ ସୁନା, ରୂପା ଚାଲାଣ ବେଳେ ଧରାପଡିବା ହୁଏତ ପ୍ରଥମ ଘଟଣା ହୋଇପାରେ । ଆଉ ଭୁବନେଶ୍ବର ବିମାନବନ୍ଦର ଦେଇ ଏହାକୁ ଅଣାଯିବା ମଧ୍ୟ ଚିନ୍ତାର କାରଣ ପାଲଟିଛି । କାରଣ ହାଇ ସିକ୍ୟୁରିଟ ଜୋନରେ ବିମାନ ବନ୍ଦର ଆସୁଥିବା ବେଳେ, ତନ ତନ ହୋଇ ଯାଞ୍ଚ ହେଉଥିଲେ ବି ଏତେ ପରିମାଣର ସୁନା ଓ ରୂପା ମୁମ୍ବାଇରୁ ଆସି ଭୁବନେଶ୍ବରରେ ଲ୍ୟାଣ୍ଡ କରିବା ଯାଞ୍ଚ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି ।