ବନ୍ଦ ହୋଇଛି ହୀରାକୁଦର ୮ ଗେଟ୍: ତଥାପି ଆସିପାରେ ବନ୍ୟା

ଭୁବନେଶ୍ୱର: ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି । ତଥାପି ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା । ହୀରାକୁଦରେ ୬୨୧ ଫୁଟ ପାଣି ଅଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଜଳସ୍ତର ଆହୁରି ବଢ଼ିବ । ତେବେ ପ୍ରବଳ ବନ୍ୟାକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି । ତେଲ୍‌ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବା ବେଳେ ମୁଣ୍ଡଳୀ ଦେଇ ୧୧ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ।

ମୁଣ୍ଡଳୀରେ ସବୁ ପାଣି ଛଡ଼ାଗଲେ ସାଢ଼େ ୧୨ ଲକ୍ଷ କ୍ୟୁସେକ ହୋଇଯିବ । ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି । ଯାହା କି ଆସନ୍ତା କାଲି ୧୧ ଲକ୍ଷ କ୍ୟୁସେକରେ ପହଞ୍ଚିବ । ବନ୍ୟାଞ୍ଚଳରେ ଗତକାଲି ଯେତିକି ଟିମ୍‌ ନିୟୋଜିତ ହୋଇଥିଲେ, ତା’ ବାଦ୍‌ ଓଡ୍ରାଫର ଓ ଏନଡିଆରଫ ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ ଅତିରିକ୍ତ ପଠାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ପ୍ରଶାସନକୁ ଆଲର୍ଟ କରାଯାଇଛି ।

ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ମହାନଦୀ ସିଷ୍ଟମରେ ରେକର୍ଡ କରାଯାଇଛି ଅଧିକ ବର୍ଷା । ସବୁଠୁ ଅଧିକ ୭ ଟି ବ୍ଲକ ରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୩୨ଟି ବ୍ଲକ ରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି । ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ଆସିପାରେ । ଯାହାଫଳରେ ୧୮ରୁ ପୁଣିଥରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।