ଝାଡଖଣ୍ଡ: ଡଙ୍ଗା ଓଲଟି ଗୋଟିଏ ପରିବାରର ୮ ମୃତ

ରାଞ୍ଚି: ଝାଡଖଣ୍ଡର କୋଡରମା ଜିଲ୍ଲାରେ ଅଘଟଣ । ଡଙ୍ଗା ଓଲଟି ପଡ଼ିବା କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ୯ଜଣ ସଦସ୍ୟ ବୁଲିବା ପାଇଁ ଆସିଥିଲେ । ହେଲେ ଡଙ୍ଗା ଓଲଟି ପଡିବା କାରଣରୁ ୮ଜଣଙ୍କ ମୃତ୍ୟୁ ହୋଇଯାଇଛି । ପଞ୍ଚଖେରୋ ଡ୍ୟାମ ବୁଲିବାକୁ ଆସିଥିଲେ । ହେଲେ ଜଳ ସମାଧିର ଶିକାର ହୋଇଛନ୍ତି । କୁହାଯାଉଛି ଏମାନେ ଡଙ୍ଗାରେ ଯାଉଥିବା ସମୟରେ ତୀବ୍ର ପବନ ବହିଥିଲା ଏବଂ ଡ୍ୟାମ ପାଣି ଅସ୍ଥିରତା କାରଣରୁ ଡଙ୍ଗା ଓଲଟି ପଡ଼ିଥିଲା ଏବଂ ଏହି ବଡ଼ ଦୁର୍ଘଟଣା ଘଟିଛି ।

ପରିବାରର କେବଳ ଜଣେ ସଦସ୍ୟ ପହଁରି କୂଳକୁ ଆସିବାରେ ସମର୍ଥ ହୋଇଥିଲେ । ଏହାପରେ ଲୋକମାନଙ୍କୁ ଜଣାଇଥିଲେ । ମରକଚ୍ଚୋ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବଗୁଡିକୁ ଡ୍ୟାମରୁ ଉଦ୍ଧାର କରିଛି । ସୂଚନାନୁଯାୟୀ, ଗିରିଡିହ ଜିଲ୍ଲାର ରାଜଧନୱାର ଥାନା ଅଞ୍ଚଳର ଖେତୋଂ ଗାଁର ଏକ ପରିବାର ପଞ୍ଚଖେରୋ ଡ୍ୟାମ ବୁଲିବା ପାଇଁ ଆସିଥିଲା । ଘରୁ ୯ ଜଣ ସଦସ୍ୟ ବୁଲିବା ପାଇଁ ଆସିଥିଲେ । ସମସ୍ତେ ଏକ ଡଙ୍ଗାରେ ବସିଯାଉଥିଲେ । ହେଲେ ପ୍ରବଳ ବର୍ଷା ଓ ପବନ କାରଣରୁ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାର ନାବିକ ଏଥିରୁ ପହଁରି ବାହାରକୁ ଆସି ଫେରାର ହୋଇଯାଇଛନ୍ତି ।

ପରିବାରର ଜଣେ ସଦସ୍ୟ ପ୍ରଦୀପ କୁମାର ପହଁରି ବାହାରକୁ ଆସିଥିଲେ ଏବଂ ସେ ଲୋକମାନଙ୍କୁ ଏହି ଘଟଣାର ସୂଚନା ଦେଇଥିଲେ । ଏହି ଘଟଣାରେ ପ୍ରଦୀପ ସିଂହଙ୍କ ୧୭ ବର୍ଷୀୟ ପୁତ୍ର ଶିବମ ସିଂହ ଏବଂ ୧୪ ବର୍ଷୀୟା ପଲକ କୁମାରୀ, ୪୦ ବର୍ଷୀୟ ସୀତାରାମ ଯାଦବ ଏବଂ ତାଙ୍କର ତିନି ସନ୍ତାନ ୧୬ ବର୍ଷୀୟା ଶେଜଲ କୁମାରୀ, ୮ ବର୍ଷୀୟ ହର୍ଷଲ କୁମାର, ୫ବର୍ଷୀୟ ବଉଭା, ୧୬ ବର୍ଷୀୟ ରାହୁଲ କୁମାର, ୧୪ ବର୍ଷୀୟ ଅମିତ କୁମାରଙ୍କ ମୃତ୍ୟୁ ହୋଇଯାଇଛି  ।