ଭୁଶୁଡୁଛି ମାଓ ଦୁର୍ଗ: ୨୦ ଦିନ ଭିତରେ ପ୍ରାଣ ହରାଇଲେଣି ୭ ମାଓବାଦୀ

1 min read

କନ୍ଧମାଳ: କନ୍ଧମାଳ ପୋଲିସକୁ ମାଓବାଦୀ ଦମନରେ ସଫଳତା ଉପରେ ସଫଳତା ମିଳିବାରେ ଲାଗିଛି । ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ପୁଣି ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ନିହତଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ମାଓବାଦୀ ଥିବା ଜଣାପଡ଼ିଛି ।  ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ଗୋଟିଏ ଇନସାସ୍ ଓ ଦୁଇଟି ଦେଶି ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ୍ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟବର୍ତ୍ତୀ ନାକୁଡ଼ିପଡ଼ା, ସଲାଗୁଡ଼ା, ଜୁନାଗଡ଼, ଡିଣ୍ଡେରପାଟା ଅଞ୍ଚଳରେ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚଳାଇବାରୁ ପାଲଟା ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି  । ଘଟଣାସ୍ଥଳରୁ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି ।

ଗତ ୫ତାରିଖ ଦିନ ବିର୍ଲା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟରେ ୪ଜଣ ମାଓବାଦୀ ମୃତ୍ୟୁ ହୋଇଥିଲା । ଏହାର ଦିନକ ପରେ ପୁଣି ଜଣେ ମାଓବାଦୀ ପୋଲିସ ଗୁଳିରେ ସଫା ହୋଇଥିଲେ  । ୨୦ ଦିନ ମଧ୍ୟରେ ପୋଲିସ୍ ଗୁଳିରେ ବର୍ତ୍ତମାନ ସୁଦ୍ଧା ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି  ।

୩ ଦିନ ତଳେ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକର୍ମୀ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ପୋଲିସ ସୂତ୍ର ଅନୁଯାୟୀ କେକେବିଏନ୍ ସହ ଜଡ଼ିତ ‘ଦସାରୁ’ ଏରିଆ କମିଟିର ୧୫ରୁ ୨୦ ମାଓବାଦୀ ଏହି ଅଞ୍ଚଳରେ ରହୁଥିଲେ । ଗତ ସାଧାରଣ ନିର୍ବାଚନ ବେଳେ କେକେବିଏନ୍ ମାଓ ସଂଗଠନ ନିର୍ବାଚନରେ ବ୍ୟବହୃତ ୨ଟି ପୋଲିଂ ପାର୍ଟି ଗାଡ଼ି ମଧ୍ୟ ଜାଳି ଦେଇଥିଲେ ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଏସପି ପ୍ରତୀକ ସିଂହଙ୍କ ସହ ଫୋନରେ କଥା ହୋଇଥିଲେ । ଜିଲ୍ଲା ପୋଲିସ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଉଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଏସପି ଓ ତାଙ୍କ ଟିମ୍ ଜିଲ୍ଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

କନ୍ଧମାଳ ଏସପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ କାର୍ଯ୍ୟକୁ ପ୍ରଶଂସା

Leave a Reply