୪୦ଡିଗ୍ରୀ ଉପରେ ୭ ସହର ତପମାତ୍ରା

ଭୁବନେଶ୍ୱର: ରାତି ପାହିଲେ ଡହ ଡହ ଖରା । ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା ।  ତାତିରେ ଅତିଷ୍ଠ ହୋଇଗଲେଣି ଜନସାଧାରଣ । ଟାଣ ଖରାରେ ଘରୁ ଲୋକେ ବାହାରିବାକୁ ଡରୁଛନ୍ତି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।  ସୋମବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀର ସହରର ତାପମାତ୍ରା ସର୍ବାଧିକ ୪୨.୬ ଡିଗ୍ରୀ ରହିଛି ।

ଟିଟିଲାଗଡରେ ରବିବାର ତାପମାତ୍ରା ୪୧.୬ ଡିଗ୍ରୀ ରହିଥିବା ବେଳେ ସୋମବାର   ତାପମାତ୍ରା ବୃଦ୍ଧି ପାଇଛି। ଉତ୍ତପ୍ତ ସହର ଟିଟିଲାଗଡରେ ତାପମାତ୍ରା  ୪୨.୫ ଡିଗ୍ରୀ ରହିଛି।  ସେହିପରି ଝାରସୁଗୁଡା ୪୦.୮ ଡିଗ୍ରୀ, ସମ୍ବଲପୁର ୪୦.୧ ଡିଗ୍ରୀ, ସୁନ୍ଦରଗଡ ୪୦.୫ ଡିଗ୍ରୀ, ଭବାନୀପାଟଣା ୪୦. ୬ ଡିଗ୍ରୀ, ସୋନପୁର ୪୦.୬ ଡିଗ୍ରୀ ତାପମାତ୍ରା ରହିଛି।

ଅନ୍ୟପକ୍ଷରେ ଆସନ୍ତା ୬ ତାରିଖ ବେଳକୁ ଆଣ୍ଡାମାନ ସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ଆକଳନ ପରେ ଏବେ ବାତ୍ୟା ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଏପ୍ରିଲ ମାସରେ ଆସୁଥିବା ଲଘୁଚାପ ଗୁଡିକ ଶକ୍ତିଶାଳୀ ହେବାର ଅଧିକ ସମ୍ଭାବନା ରହିଛି । ଏପରିକି ବିଭିନ୍ନ ମଡେଲ ମଧ୍ୟ ଲଘୁଚାପଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କଲେଣି । କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୯ ରୁ ୧୧ ତାରିଖ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ।