ଦୀପାବଳି ସୁଦ୍ଧା ଦେଶରେ ଚାଲିବ ୬୦ ପ୍ରତିଶତ ବିମାନ, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ ହରଦୀପ୍ ସିଂ ପୁରୀ………

60% Of Flights to take Off Before Diwali

ଦେଶରେ ଘରୋଇ ବେସାମରିକ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ଖବର ଆସିଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦୀପାବଳି ସୁଦ୍ଧା ଦେଶରେ ଦେଶର ପୂର୍ବରୁ ଚାଲୁ ଥିବା ବେସାମରିକ ବିମାନ ସେବାର ୬୦ ପ୍ରତିଶତ ସେବା ଚାଲୁ ହେବ । ସେହିଭଳି କରୋନା କାଳରେ ବନ୍ଦେ ଭାରତ ମିଶନର ସଫଳତା ଦର୍ଶାଇ ମନ୍ତ୍ରୀ କହିଛନ୍ତି ଦେଶକୁ ବନ୍ଦେ ଭାରତ ମାଧ୍ୟମରେ ବିମାନ ଯୋଗେ ପ୍ରାୟ ଏକ ଲକ୍ଷ ୮୦ ହଜାର ପ୍ରବାସୀଙ୍କୁ ଫେରାଇ ଅଣାଯାଇଛି । ଦୁବାଇ ଓ ୟୁଏଇରୁ ବହୁ ସଂଖ୍ୟକ ଭାରତୀୟ ଘରକୁ ଫେରିଥିବା ବେଳେ ସରକାର ଆମେରିକାରୁ ୩୦ ହଜାର ନାଗରିକଙ୍କୁ ଫେରାଇ ଆଣିବାରେ ସମର୍ଥ ହୋଇଛନ୍ତି ।

ତେବେ ବନ୍ଦେ ଭାରତ ମିଶନ ଜରିଆରେ ପ୍ରବାସୀଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଚାଲୁ ରହିବ ବୋଲି ହରଦୀପ୍ ସିଂ ପୁରୀ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଜୁଲାଇ ୧୮ରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ଆହୁରି ୨୮ଟି ବିମାନ ଦେଶ ବାହାରୁ ପ୍ରବାସୀଙ୍କୁ ଆଣିବା ନେଇ ବ୍ୟବସ୍ଥା ହୋଇଛି । ଏସବୁ ବିମାନ ଦିଲ୍ଲୀ, ମୁମ୍ୱାଇ ଓ ବାଙ୍ଗାଲୋରରେ ଅଟକିବ । ଆମେରିକାରୁ ମଧ୍ୟ ବିମାନ ଦେଶକୁ ଫେରିବା ନେଇ ସୂଚନା ରହିଛି । ତେବେ କରୋନା ସମୟରେ ଏୟାର ଲାଇନ୍ସର ଅର୍ଥନୀତିକ ସ୍ଥିତି ଅତି ଦୁର୍ବଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସ୍ଥାୟୀ ଦରମା ନେଉ ନଥିବା କର୍ମଚାରୀଙ୍କୁ ଏୟାର ଲାଇନ୍ସ ସଂସ୍ଥାଗୁଡିକ ଛୁଟିରେ ପଠାଇଥିବା ବେଳେ ଅନେକ ସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ଅବସର ମଧ୍ୟ ଦେଉଛନ୍ତି । ଏସବୁ ଦୁଃଖଦାୟକ ହୋଇଥିଲେ ମଧ୍ୟ ସରକାର ଏବେର ସ୍ଥିତିରେ ଏୟାର ଲାଇନ୍ସକୁ ସହଯୋଗ କରିବାକୁ ଅସମର୍ଥ । ତେବେ ଏୟାର ଇଣ୍ଡିଆର ଘରୋଇକରଣ ପାଇଁ ସରକାରୀ ସ୍ତରରେ ସମସ୍ତ କାର୍ଯ୍ୟକଳାପ ଚାଲୁ ରହିଛି ବୋଲି ସେ ଜଣାଇଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏୟାର ଇଣ୍ଡିଆର ସ୍ଥିତି ଏବେ ସବୁଠାରୁ ସଙ୍ଗିନ ରହିଛି ଓ ସରକାର ଏହାକୁ ଘରୋଇକରଣ କରିବାର ଉଦ୍ୟମ ଜାରି ରଖିଛନ୍ତି । ଏୟାର ଇଣ୍ଡିଆ କର୍ମଚାରୀମାନଙ୍କ ଛଟେଇକୁ ନେଇ ମଧ୍ୟ ସେ ମନ୍ତବ୍ୟ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ୨୩ ମାର୍ଚ୍ଚରୁ ଅନ୍ତର୍ଜାତିକ ବିମାନ ସେବା ବନ୍ଦ ଥିବା ବେଳେ ଘରୋଇ ବିମାନ ସେବା ଏପ୍ରିଲ୍ ୨୫ ମଇରୁ ଆରମ୍ଭ ହୋଇଛି ।

Leave a Reply