ବୋରୱେଲକୁ ଖସିପଡ଼ିଲା ୬ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ହାପୁଡ: ଉତ୍ତର ପ୍ରଦେଶର ହାପୁଡ ଜିଲ୍ଲାରେ ୬ ବର୍ଷର ଶିଶୁ ୪୦ ଫୁଟ ଗଭୀର ବୋରୱେଲକୁ ଖସିପଡ଼ିଛି । ଖେଳିବା ସମୟରେ ବୋରୱେଲକୁ ଖସିପଡ଼ିଥିବା ସୂଚନା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପୋଲିସ ଏବଂ ଏନଡିଆରଏଫ ଟିମ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ବୋରୱେଲ ଭିତରୁ ଶିଶୁଟିର କାନ୍ଦିବାର ସ୍ୱର ଶୁଣାଯାଉଛି । ଶିଶୁକୁ ପାଇପ ଜରିଆରେ ଅକ୍ସିଜେନ ଏବଂ କ୍ଷୀର ପହଞ୍ଚାଯାଉଛି । ଘଟଣାଟି ହାପୁଡର କୋଟଲା ସାଦାତର ମୋହଲ୍ଲା ଫୁଲ ଗଢିରେ ଘଟିଛି । ମୋହସିନ ନାମକ ବ୍ୟକ୍ତିର ୬ ବର୍ଷୀୟ ଶିଶୁ ମାଭିୟା ମଙ୍ଗଳବାର ଘର ବାହାରେ ଖେଳୁଥିଲା ।

ଏହି ସମୟରେ ମଧ୍ୟାହ୍ନ ପ୍ରାୟ ୧୨ ଟା ୧୫ ସମୟରେ ଖେଳୁ ଖେଳୁ ନଳକୂପ ପାଖକୁ ଚାଲି ଯାଇଥିଲା ଏବଂ ଖୋଲା ପଡ଼ିଥିବା ବୋରୱେଲକୁ ଖସିପଡ଼ିଥିଲା । ଏହାପରେ ପରିବାର ଲୋକେ ବୋରୱେଲକୁ ଶିଶୁଟି ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଶିଶୁଟିର କାନ୍ଦ ବୋରୱେଲ ବାହାରକୁ ଶୁଣାଯାଉଛି । ଶିଶୁଟି ଅନ୍ଧାରକୁ ଡରି ଅଚେତ ନହୋଇଯାଉ ଏବଂ ଉଦ୍ଧାର କାର୍ଯ୍ୟରେ ସହଜ ହେଉ ସେଥିପାଇଁ ବୋରୱେଲ ଭିତରେ ଆଲୋକର ବ୍ୟବସ୍ଥା କରାଯାଇଛି । ବୋରୱେଲ ଭିତରକୁ କ୍ୟାମେରା ପଠାଯାଇ ପିଲାର ମୁଭମେଣ୍ଟକୁ ମନିଟର କରାଯାଉଛି ।