ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା, ଗିରଫ ହେଲେ ବାବା ଶିବମୂର୍ତ୍ତି ମୁରୁଗା ସାରାନାରୁ

1 min read

ବେଙ୍ଗାଲୁର: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । ଗିରଫ ହେଲେ ଜଗଦଗୁରୁ ମୁରଗାରାଜେନ୍ଦ୍ର ବିଦ୍ୟାପୀଠ ମଠର ଲିଙ୍ଗାୟତ ମଠାଧୀଶ ଶିବମୂର୍ତ୍ତି ମୁରୁଗା ସାରାନାରୁ । ପକସୋ ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି । ମଠାଧୀଶଙ୍କ ବିରୋଧରେ ଏସସି ଓ ଏସଟି ନିର୍ଯାତନା ନିରାକରଣ ଆଇନ ଅନୁସାରେ ବି ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଜାରି କରିଥିଲା ଲୁକଆଉଟ ସର୍କୁଲାର ବା ଏଲଓସି । ମଠାଧୀଶ ଯେପରି ଦେଶଛାଡ଼ି ଯାଇପାରିବେ ନାହିଁ ସେଥିଲାଗି ସତର୍କତା ଜାରି କରାଯାଇଥିଲା ।

କର୍ଣ୍ଣାଟକ ଚିତ୍ରଦୁର୍ଗାସ୍ଥିତ ଏକ ଲିଙ୍ଗାୟତ ମଠର ମୁଖ୍ୟ ମଠାଧୀଶ ଅଛନ୍ତି ଶିବମୂର୍ତ୍ତି । ମଠାଧୀଶଙ୍କୁ ଗିରଫ କରିବା ନେଇ ଦାବି ହେବା ପରେ ମଠ ଦ୍ବାର ପରିଚାଳିତ ସ୍କୁଲର ମୁଖ୍ୟଙ୍କୁ ଅଟକ ରଖିଛି ପୋଲିସ । ମଠାଧୀଶଙ୍କ ବିରୋଧରେ ଦୁଇ ଜଣ ନାବାଳିକା ମହୀଶୂର ସିଟି ପୋଲିସ ନିକଟରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ଛାନବିନ । ମଠାଧୀଶଙ୍କ ବିରୋଧରେ ପକ୍ସୋ ଧାରା ଲାଗିଛି । ୧୫ ଓ ୧୬ ବର୍ଷର ଦୁଇ ଜଣ ନାବାଳିକା ଅଭିଯୋଗ କରିଥିଲେ- ମଠାଧୀଶ ତାଙ୍କୁ ସାଢ଼େ ୩ ବର୍ଷ ଧରି ଯୌନ ଶୋଷଣ କରିଥିଲେ ।

ଗତ ଜୁଲାଇ ୨୪ରେ ଦୁଇ ନାବାଳିକା ଛାତ୍ରୀନିବାସ ପରିତ୍ୟାଗ କରିଥିଲେ ଏବଂ ପରଦିନ ସେମାନେ କଟୋନପେଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ୨୬ତାରିଖରେ ନଜରାବାଦ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଥିଲା । ତେବେ ମଠାଧୀଶ କହିଛନ୍ତି- ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ଦୀର୍ଘ ଷଡ଼ଯନ୍ତ୍ରର ଫଳ ।