ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ

1 min read

ପୁରୀ: ବଦଳିଯିବ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଚିତ୍ର । ଏହାର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚି ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଭାଷା-ସଂସ୍କୃତି ପର୍ଯ୍ୟଟନ କ୍ଷେତ୍ର ଭାବେ ସୁଆଣ୍ଡୋର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରିଛନ୍ତି । ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି । ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ଘର, ଗାଁକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କ ଆଦିର ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।

ଏହାସହ ଗୋପବନ୍ଧୁ ସ୍ମୃତି ସଂଗ୍ରାହଳୟ, ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି । ସେଠାରେ ଥିବା ଶିବ ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ପୋଖରୀର ପୁନଃଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂଗ୍ରହାଳୟର ଘର ନିର୍ମାଣ ମଧ୍ୟ ସରିଛି । ବିଦ୍ୟୁତକରଣ ଏବଂ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି । ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଚାଲୁ ରହିଛି । ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି, ପୈତୃକ ଗୃହର ପୁନଃ ବିକାଶ ଆଦି କାର୍ଯ୍ୟ ମଧ୍ୟ ଚାଲିଛି ।

ଅନ୍ୟପକ୍ଷରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାମ ମଧ୍ୟ ଆଗେଇ ଚାଲିଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମୋଟ୍ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଆଜି ଏସବୁ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସୁଆଣ୍ଡୋରୁ ସମୀକ୍ଷା ଶେଷ କରି ଭୁବନେଶ୍ୱର ଘାଟିକିଆସ୍ଥିତ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।