ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ, କହିଲେ ପରିଶ୍ରମର କୌଣସି ବିକଳ୍ପ ନାହିଁ

1 min read

ସୁନ୍ଦରଗଡ଼: ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦେଲେ ସଫଳତାର ମନ୍ତ୍ର। କହିଲେ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଭଲ ପାଠ ପଢିବା ସହ ସଫଳ ହେବା ଲାଗି ସମସ୍ତେ ଆତ୍ମବିଶ୍ବାସ ବଢାଇବା ଜରୁରୀ। ସୁନ୍ଦରଗଡ଼ ଜିଲ୍ଲାର ଭବାନୀପୁରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ରାହା ଦେଖାଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେମିତି ପାଠ ପଢି ଜଣେ ଭଲ ମଣିଷ ହୋଇପାରିବା ଏହା କହିଛନ୍ତି ୫ଓ ଅଧ୍ୟକ୍ଷ। ସ୍ଥାନୀୟ ଅଂଚଳର ସ୍କୁଲରୁ ପାଠ ପଢି କିପରି ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ହୋଇପାରିଛନ୍ତି ଏଭଳି ଅନେକ ବ୍ୟକ୍ତି ବିଶେଷଙ୍କ ଉଦାହରଣ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ ସ୍ଥାନୀୟ ବିଏସ ହାଇସ୍କୁଲରୁ ପାଠ ପଢି ଭାରତୀୟ ହକି ଟିମର ଅଧିନାୟକ ହୋଇପାରିଥିଲେ। ସେହିପରି ଆଇଏଏସ ଶଶିକାନ୍ତ ନାୟକ ,ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢୀଙ୍କ କଥା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପାନପୋଷ ହାଇସ୍କୁଲରୁ ପାଠ ପଢି ଜାତୀୟ ମହିଳା ହକି ଦଳର ଅଧିନାୟକ ହୋଇ ଦେଶପାଇଁ ସୁନାମ ଅର୍ଜନ କରିଛନ୍ତି ଖେଳାଳି ସୁଭଦ୍ରା ପ୍ରଧାନ।

ସେହିପରି ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ପ୍ରଥମ ବାରିଷ୍ଟର ହୋଇପାରିଥିଲେ ଇଗନେସ ନାୟକ।  ସମସ୍ତ ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇ  ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ କହିଛନ୍ତି। ଭଲ ପାଠ ପଢିବା ସହ ଛାତ୍ରଛାତ୍ରୀଙ୍କୁ ସାମଗ୍ରିକ ବିକାଶ କରିବାକୁ ପଡିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଓ କାର୍ଯକ୍ରମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ୫5T ଅଧ୍ୟକ୍ଷ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବା। ଏହାଦ୍ବାରା ଛାତ୍ରଛାତ୍ରୀ ସଫଳତାର ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଯାଇପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଲାଗି କୋକରିକୁଲାର କାର୍ଯକ୍ରମରେ ସାମିଲ ହେବାକୁ କହିଛନ୍ତି। ଜିତିବା ଅପେକ୍ଷା ଭାଗ ନେବା ଅତି ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ଛାତ୍ରଛାତ୍ରୀ ଅନେକ କିଛ ଶିଖିବେ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଗୁଡ଼ିକର ରୁପାନ୍ତରଣ କରାଯାଉଛି। ଏଠାକାର ପିଲାମାନେ ମଧ୍ଯ ବଡ଼ ବଡ଼ ସହରରେ ଥିବା ସ୍କୁଲରେ ମିଳୁଥିବା ସୁବିଧା ନିଜ ସ୍କୁଲରେ ପାଇବେ। ସୁନ୍ଦରଗଡ଼ ଜିଲ୍ଲାରେ ୭୪ ସ୍କୁଲ ଓ କଲେଜକୁ ଫାଇଭ ଟିରେ ସାମିଲ କରାଯାଇଛି। ଆସନ୍ତାମାସ ଶେଷ ସୁଦ୍ଧା ସମସ୍ତ କଲେଜର କାମ ସରିବ। ସୋସିଆଲ ମିଡିଆର ଉପକାର ଏବଂ ଅପକାରିତା ଉପରେ କହିଛନ୍ତି ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରି ଛାତ୍ରଛାତ୍ରୀଙ୍କୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି। ଏହାସହ ବାପାମାଆ ଓ ଗୁରୁଜନଙ୍କ ସମ୍ମାନ ସହ କଥା ମାନି ନିଜ ଲକ୍ଷ୍ୟ ପଥରେ ଆଗକୁ ଯିବାକୁ କହିଛନ୍ତି।