ମଣିପୁରରେ ନୀତିଶଙ୍କ ଦଳ ଜେଡିୟୁକୁ ଝଟକା, ବିଜେପିରେ ମିଶିଲେ ୫ ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ଆଜି ଅର୍ଥାତ ଶନିବାର ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଦଳକୁ ବଡ଼ ଝଟକା ଲାଗିଛି । ମଣିପୁରରେ ଜେଡିୟୁର ୬ ମଧ୍ୟରୁ ୫  ବିଧାୟକ ଦଳ ସହ ବିଦ୍ରୋହ କରିଛନ୍ତି । ୫ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ ଉଦ୍ଦୀନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏଣ ଖାଇଟେ ଏବଂ ଥାଙ୍ଗଜାମା ଅରୁଣ କୁମାର ସାମିଲ ଅଛନ୍ତି ।

ମଣିପୁର ବିଧାନସଭା ସଚିବାଳ ମଧ୍ୟ ଏହି ବିଧାୟକଙ୍କ ବିଜେପିରେ ସାମିଲ ହୋଇଥିସବା ସୂଚନା ଦେଇଛି । ଜେଡିୟୁ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ୩୮ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏଥିମଧ୍ୟରୁ ୬ଟି ଆସନରେ ବିଜୟ ଲାଭ କରିଥିଲା । ଏବେ ୫ ବିଧାୟକଙ୍କ ଦଳ ଛାଡିବା ପରେ କେବଳ ଜଣେ ବିଧାୟକ ରହିଯାଇଛନ୍ତି ।

କୁହାଯାଉଛି ଯେ, ଏନଡିଏ ମେଣ୍ଟରୁ ଜେଡିୟୁ ଅଲଗା ହେବା ନିଷ୍ପତ୍ତିରେ ନାରାଜ ଥିଲେ ଏହି ବିଧାୟକମାନେ । ଏହି ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି । ଜେଡିୟୁ ଏହାକୁ ଅସାମ୍ବିଧାନିକ ବୋଲି କହିଛି, ସେହିପରି ଅନ୍ୟପକ୍ଷରେ ବିଜେପି ଏହି ସମସ୍ତ ବିଧାୟକଙ୍କୁ ସ୍ୱାଗତ କରିଛି । ସୂଚନାଥାଉକି ଗତ ମାସରେ ବିହାରରେ ବିଜେପି ମେଣ୍ଟରୁ ଅଲଗା ହୋଇ ନୀତିଶଙ୍କ ଜେଡିୟୁ ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲା । ଏହି ନିଷ୍ପତ୍ତିକୁ କିଛି ଜେଡିୟୁ ନେତା ବିରୋଧ କରୁଥିଲେ ।