ପଞ୍ଜାବରେ ୧୧୭ଟି ଆସନ ଏବଂ ୟୁପିରେ ୫୯ଟି ଆସନ ପାଇଁ ଚାଲିଛି ମତଦାନ

ଚଣ୍ଡିଗଡ଼/ଲକ୍ଷ୍ଣୌ: ପଞ୍ଜାବରେ ନେତା ବାଛୁଛନ୍ତି ଜନାତା । ୧୧୭ଟି ଆସନ ଲାଗି ହେଉଛି ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ  । ମୋଟ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ କୋଟି ୧୪ ଲକ୍ଷ ୯୯ ହଜାର ଭୋଟର । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକାଉର ସାହିବ ଓ ଭଦାଉର ଆସନରୁ ଲଢୁଥିବାବେଳେ ଅମୃତସର ଇଷ୍ଟ ଆସନରୁ ଲଢୁଛନ୍ତି ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ।

ପଞ୍ଜାବ ଲୋକ କଂଗ୍ରେସ  ନେତା କ୍ୟାପଟେନ ଅମରିନ୍ଦର ସିଂ ପାତିଆଲା ଅର୍ବାନ ଆସନରୁ ଲଢୁଥିବାବେଳେ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ମନ୍ ଧୁରି ଆସନରୁ ଲଢୁଛନ୍ତି । ସେହିପରି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ଲାମ୍ବି ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ସୁଖବୀର ସିଂ ବାଦଲ ଜଲାଲାବାଦ ଆସନରୁ ଲଢୁଛନ୍ତି । ଏହା ସହ କଂଗ୍ରେସ ପକ୍ଷରୁ ମୋଗା ଆସନରେ ଲଢୁଛନ୍ତି ମାଳବିକା ସୁଦ୍ ।  ରାଜ୍ୟର ବହୁ ମନ୍ତ୍ରୀଙ୍କର ବି ହେଉଛି ଭାଗ୍ୟ ପରୀକ୍ଷା । ୨୦୧୭ନିର୍ବାଚନରେ କଂଗ୍ରେସ ୭୮ଟି ଆସନ ହାତେଇଥିବାବେଳେ ଆପ୍ ୧୨ଟି, ଅକାଳୀ ଦଳ ୧୩ଟି ଓ ବିଜେପି ୬ଟି ଆସନରେ ବିଜୟଲାଭ କରଥିଲା ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ନେଇ ମତଦାନ ଚାଲିଛି । ୧୬ଟି ଜିଲ୍ଲାର ୫୯ଟି ଆସନରେ ମତଦାନ କରୁଛନ୍ତି ଭୋଟର  । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୫୯ ଆସନ ପାଇଁ ମଇଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ସବୁଠାରୁ ଚର୍ଚ୍ଚିତ ଆସନ କରହାଲ ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ଲଢୁଛନ୍ତି ଅଖିଳେଶଙ୍କ କାକା ଶିବପାଲ ଯାଦବ । ଫିରୋଜାବାଦ, ମଇନପୁରୀ, ଇଟାହ, କାସଗଞ୍ଜ, ହାଥରସ, କାନପୁର, କାନପୁର ଦେହାତ, ଔରେୟା, ଫରକ୍କାବାଦ, କନୌଜ, ଝାନସୀ, ଜଲାଉନ, ଲଳିତପୁର, ହମିରପୁର, ମାହୋବା ଜିଲ୍ଲାରେ ହେଉଛି ଭୋଟିଂ ।

୨୫ ହଜାର ୭୪୧ଟି ମତଦାନ କେନ୍ଦ୍ରରେ ଭୋଟିଂ ଚାଲିଛି । ଯାଦବ କମ୍ୟୁନିଟି ମତଦାନ କରୁଥିବା ବେଳେ ଭୋଟ୍ ପ୍ରତିଶତ କାହାକୁ କେତେ ମିଳିବ ତାହା ଉପରେ ନଜର ରହିଛି । ଯାଦବ ଅଞ୍ଚଳର ୨୯ଟି ଆସନରୁ ଗତଥର ବିଜେପି ୨୩ଟି ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ମାତ୍ର ୬ଟି ଆସନରେ ବିଜୟ ହାସଲ କରିଥିଲା  । ୨୦୧୨ ତୁଳନାରେ ଏହି ଅଞ୍ଚଳରେ ବିଜେପି ୨୦୧୭ରେ ଭଲ ପ୍ରଦର୍ଶନ କରିଥିଲା  । କିନ୍ତୁ ଏଥର ସ୍ଥିତି ଓଲଟିବ ବୋଲି ବିରୋଧୀ ଦାବି କରୁଛନ୍ତି  । ଏପଟେ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ପ୍ରଚାର କରିଥିବା ବେଳେ କିଛି ସ୍ଥିତି ବଦଳିବ ବୋଲି ଦଳ ଆଶା କରୁଛି ।

Leave a Reply